ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଭୟାବହ ବାଣ ବିସ୍ଫୋରଣ ଘଟିଛି। ଗ୍ରାମର ପାଣିଟାଙ୍କି ରୋଡ଼୍ରେ ଥିବା ମା’ ବ୍ରହ୍ମଦେବୀ ମନ୍ଦିର ରାସ୍ତାରେ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ସମୟରେ ଘଟିଥିବା ଏହି ଅଘଟଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବାରର ଅନ୍ୟ ୩ ଜଣ ସଦସ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ୧୯ ବର୍ଷୀୟ ପୁଅ ଆକାଶ ଦାସ। ଅପରପକ୍ଷେ ଗୁରୁତର ଆହତମାନେ ହେଲେ ବାପା ସନ୍ତୋଷ ଦାସ (୪୫), ବିଷ୍ଣୁ ପ୍ରିୟା ଦାସ (୩୫) ଏବଂ ଲକ୍ଷ୍ମୀ ଦାସ (୫୦)।
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ଆକାଶ ନିଜ ଘର ଭିତରେ ବସି ବାଣ ଭିଡୁଥିଲେ (ତିଆରି କରୁଥିଲେ)। ଏହି ସମୟରେ ହଠାତ ଘର ନିକଟରେ ଥିବା ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଉପରେ ବଜ୍ରାଘାତ ହୋଇଥିଲା। ବଜ୍ରପାତର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ଏହା ଯୋଗୁ ଘର ଭିତରେ ରଖାଯାଇଥିବା ବାଣଗୁଡ଼ିକରେ ହଠାତ୍ ବିସ୍ଫୋରଣ ଘଟିଥିଲା।
ବାଣ ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଆକାଶଙ୍କ ଘରର ସମସ୍ତ ଟିଣ ଛପର ଖଣ୍ଡ ଖଣ୍ଡ ହୋଇ ଆକାଶରେ ଉଡ଼ିଯାଇଥିଲା। ବିସ୍ଫୋରଣ ଯୋଗୁ ଘର ଭିତରେ ଥିବା ପରିବାରର ସମସ୍ତ ସଦସ୍ୟ ଗୁରୁତର ହୋଇ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିଲେ।
ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ଆକାଶ ଦାସଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୩ ଜଣ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା (MKCG)କୁ ସ୍ଥାନାନ୍ତର କରାଯାଇଛି।
ଏହି ସୂଚନା ପାଇବା ପରେ ପାଟପୁର ଥାନା ପୋଲିସର ଏକ ଟିମ୍ ସିଙ୍ଗପୁର ଗ୍ରାମରେ ପହଞ୍ଚି ଘଟଣାସ୍ଥଳର ଛାନଭିନ୍ ଆରମ୍ଭ କରିଛି। ଏହା ସହିତ ପୋଲିସ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତ ଆକାଶଙ୍କ ଶବକୁ ଜବତ କରିବା ସହ ଘଟଣାର ଆଇନଗତ ତଦନ୍ତ ଚଳାଇଛି। ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।