ଗୋଳେଇପୁର ପଞ୍ଚାୟତରେ ବୁଥ୍‌ ରିଗିଂ ଅଭିଯୋଗ: ଅନୁଧ୍ୟାନ କରିବାକୁ ଯାଇଥିବା ବିଡିଓଙ୍କୁ ମାଡ଼

ଯାଜପୁର ରୋଡ୍‌,୨୦।୨(ଡି.ଏନ୍‌.ଏ.): ଯାଜପୁର ଜିଲା କୋରାଇ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତର ୮,୯,୧୦ ଏବଂ ୧୧ ନଂ ବୁଥ୍‌ରେ ରବିବାର ଉତ୍ତେଜନା ପ୍ରକାଶ ପାଇଛି। ବୁଥ୍‌ ରିଗିଂ ଅଭିଯୋଗ ପାଇ ଅନୁଧ୍ୟାନ କରିବାକୁ ଯାଇଥିବା ବେଳେ କୋରାଇ ବିଡିଓଙ୍କୁ କିଛି ଦୁର୍ବୃତ୍ତ ଦୁର୍ବବ୍ୟହାର କରିଛନ୍ତି। ଏହାକୁ ନେଇ ବୁଥ୍‌ଗୁଡ଼ିକରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳରେ ଜିଲା ଆରକ୍ଷୀ ଅଧିକ୍ଷକ ରାହୁଲ ପିଆର୍‌ ପହଞ୍ଚି ଭୋଟ ବନ୍ଦ କରିଥିବା ଜଣାପଡ଼ିଛି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଗୋଳେଇପୁର ପଞ୍ଚାୟତର ସୋତୀ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ହୋଇଥିବା ବୁଥ୍‌ରେ ରିଗିଂ ଅଭିଯୋଗ ହୋଇଥିଲା। କିଛି ଦୁର୍ବୃତ୍ତ ଏଜେଣ୍ଟମାନଙ୍କୁ ଧରି ଜୋର ଜବରଦସ୍ତ ଲୋକଙ୍କ ପାଇଁ ଭୋଟ ଦେଉଥିବା ବିଡିଓ ସୂଚନା ପାଇଥିଲେ। ଖବର ପାଇ ସେ ସେଠାରେ ପହଞ୍ଚିବା ପରେ ସ୍ଥିତି ବଦଳିଯାଇଥିଲା।