‘କରୋନାର ନୂଆ ଭାରିଆଣ୍ଟକୁ ପ୍ରତିହତ କରିପାରିବ ବୁଷ୍ଟର ଡୋଜ୍‌’

ଭୁବନେଶ୍ୱର, ୨୩।୧୨(ବ୍ୟୁରୋ): ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ ତଥା ଓମିକ୍ରନ୍‌ର ସବ୍‌ଭାରିଆଣ୍ଟ ବିଏଫ୍‌-୭ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ିଛି। ଏହାକୁ କିପରି ମୁକାବିଲା କରାଯିବ ତାକୁ ନେଇ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ନିଷ୍ପତ୍ତି ନେଇଛନ୍ତି। ବିଶେଷକରି ଟିକାକରଣରେ ବୁଷ୍ଟର ଡୋଜ୍‌ ଏହି ନୂଆ ଭାରିଆଣ୍ଟକୁ ପ୍ରତିହତ କରିପାରିବ ବୋଲି ଶୁକ୍ରବାର ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି।

ସେ କହିଛନ୍ତି, ଗତ ନଭେମ୍ବର ୨୮ରୁ ସରକାରୀ କୋଭିଡ୍‌ ଟିକାକାରଣ ବନ୍ଦ ରହିଛି। ତେଣୁ ଟିକା ଯୋଗାଣ ପାଇଁ ପୁଣିଥରେ କେନ୍ଦ୍ରକୁ ଅନୁରୋଧ କରାଯିବା ସହ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ରକୁ ଚିଠି ଲେଖାଯିବ। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮ କୋଟି ୧୪ ଲକ୍ଷ ଟିକା ଦିଆସରିଛି। ୯୭% ପ୍ରତିଶତ ଲୋକ ପ୍ରଥମ ଡୋଜ୍‌ ନେଇସାରି ଥିବାବେଳେ ୯୪% ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ୍‌ ଏବଂ ମାତ୍ର ୪୧% ଲୋକ ପ୍ରିକଶନ୍‌ ଡୋଜ୍‌ ବା ବୁଷ୍ଟର ଡୋଜ୍‌ ନେଇଛନ୍ତି। ରାଜ୍ୟରେ ଏବେ ବି ୨୫ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍‌ ଆଉ ୫୯% ପ୍ରତିଶତ ଲୋକ ବୁଷ୍ଟର ଡୋଜ୍‌ ନେଇନାହାନ୍ତି। ବର୍ତ୍ତମାନ ଟିକାଯୋଗାଣ ନାହିଁ, ଯେତିକି ଥିଲା ସରିଯାଇଛି। ତଥାପି ଆମେ ସଜାଗ ଅଛୁ। ସଂକ୍ରମଣକୁ ପ୍ରତିହତ ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ। ଏବେ ରାଜ୍ୟର ୧୨ଟି ଘରୋଇ ହସ୍ପିଟାଲରେ ଟିକାକରଣ ଚାଲିଛି। ବାହାର ରାଜ୍ୟରୁ ୧୬ ଲକ୍ଷ ୧୭ ହଜାର ଟିକା ମଗାଯାଇଥିଲା। ବୁଷ୍ଟର ଡୋଜ୍‌ ନେଇଥିବା ଲୋକେ ସୁରକ୍ଷିତ, ନୂଆ ଭାରିଆଣ୍ଟକୁ ବୁଷ୍ଟର ଡୋଜ୍‌ ଟିକା ମୁକାବିଲା କରିପାରିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।