ହୋଟେଲ ଉପରକୁ ବୋମାମାଡ଼

ଭୁବନେଶ୍ୱର,୨୧।୪(ବ୍ୟୁରୋ): ରାଜଧାନୀରେ କିଛିଦିନର ନୀରବତା ପରେ ଗୁରୁବାର ବୋମାମାଡ଼ ଘଟଣା ସାମ୍ନାକୁ ଆସିଛି। ମଞ୍ଚେଶ୍ୱର ଥାନାଠାରୁ କିଛି ଦୂର ରସୁଲଗଡ଼ ଛକ ନିକଟରେ ଥିବା ଊର୍ମି ହୋଟେଲ୍‌କୁ ରାତି ପ୍ରାୟ ୮ଟା ୧୫ ବେଳେ ଦୁର୍ବୃତ୍ତମାନେ ୨ଟି ବୋମା ଫିଙ୍ଗିଛନ୍ତି। ଗୋଟିଏ ବୋମା ଜୀବନ୍ତ ଥିବା ଦେଖିବାକୁ ମିଳିଛି। ଏହି ବୋମା ହୋଟେଲର ୨୦୨ ରୁମ୍‌ରେ ବାଜିଥିବା ବେଳେ ୨ଟି କାଚ ଭାଙ୍ଗିଯାଇଛି। ଏଥିରେ କୌଣସି ବଡ଼ଧରଣ କ୍ଷୟକ୍ଷତି ହୋଇନାହିଁ କି କେହି ଆହତ ହୋଇ ନାହାନ୍ତି। ନିକଟସ୍ଥ ଫ୍ଲାଏଓଭର ବ୍ରିଜ ଉପରୁ ବାଇକରେ ଯାଉଥିବା ଦୁଇ ଯୁବକ ଏହି ବୋମା ଫୋପାଡ଼ିଥିବା କେତେଜଣ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବୋମା ପକାଇବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଏନେଇ ହୋଟେଲ ମ୍ୟାନେଜର ସମରେନ୍ଦ୍ର ରାଉତ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବୋମାମାଡ଼ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା। ଥାନାଧିକାରୀ ସୁଧୀର କୁମାର ସାହୁ ଏବଂ ଜୋନ-୫ ଏସିପି ସଞ୍ଜୀବ ଶତପଥୀ ପ୍ରମୁଖ ହୋଟେଲରେ ପହଞ୍ଚି ତଦନ୍ତ କରିଛନ୍ତି। ସେମାନେ ସ୍ଥାନୀୟ ଲୋକ, ହୋଟେଲ କର୍ତ୍ତୃପକ୍ଷ, କର୍ମଚାରୀ ଓ ଅତିଥିମାନଙ୍କୁ ପଚରାଉରା କରିଥିଲେ। ଏସିପି କହିଛନ୍ତି, କେଉଁ କାରଣକୁ ନେଇ ଏହି ବୋମାମାଡ଼ କରାଯାଇଛି ତାହାର ବିଭିନ୍ନ ଦିଗକୁ ନେଇ ଅନୁସନ୍ଧାନ ଚାଲିଛି। କର୍ମଚାରୀ ଓ ହୋଟେଲ ମାଲିକଙ୍କୁ ପଚରାଉଚରା କଲା ପରେ ଅଧିକ କିଛି ତଥ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ହୋଟେଲ୍‌ର ଡ୍ୟାନ୍ସ ବାର୍‌ରେ ପୂର୍ବରୁ ଘଟିଥିବା ଝଗଡ଼ା ପାଇଁ ଏହି ବୋମାମାଡ଼ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏପରିକି ଭିନ୍ନ ଭିନ୍ନ ରାତିରେ ଉକ୍ତ ହୋଟେଲର ଡ୍ୟାନ୍ସ ବାର୍‌ରେ ଗଣ୍ଡଗୋଳ ଘଟିଥିବା ନଜିର ରହିଛି। ତେଣୁ ବୋମାମାଡ଼ର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଚଳାଇଛି।