ବିଜେଡି ନେତାଙ୍କ ଘରକୁ ବୋମା ମାଡ଼

କାମାକ୍ଷାନଗର, ୧୯।୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଏନଏସି ୨ନଂ. ଓ୍ବାର୍ଡରେ ରହୁଥିବା ବିଜେଡି ନେତା ତଥା ଠିକାଦାର କାହ୍ନୁ ସାହୁଙ୍କ ଘର ଉପରକୁ ସୋମବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଏଥିରେ ତାଙ୍କ କାର୍‌ର ପଛ କାଚ ଭାଙ୍ଗି ଚୂରମାର୍‌ ହୋଇଯାଇଛି। କେଉଁ କାରଣରୁ ଏବଂ କିଏ ଏଭଳି କାଣ୍ଡ ଘଟାଇଛି, ତାହା ଅସ୍ପଷ୍ଟ ରହିଛି। ତେବେ ପ୍ରେମବ୍ୟାପାର କିମ୍ବା ରାଜଜୈନିକ ଶତ୍ରୁତାକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ଦୁଇଜଣ ଯୁବକ ଏକ ବାଇକ୍‌ରେ ଆସି ପଇଁତରା ମାରିଥିଲେ। ଏହାପରେ କାହ୍ନୁଙ୍କ ଘରକୁ ଲକ୍ଷ୍ୟ କରି ୩ଟି ବୋମା ଫିଙ୍ଗିଥିଲେ। ସେଥିରୁ ୨ଟି ଫୁଟି ନ ଥିବାବେଳେ ଗୋଟିଏ ଫୁଟିଥିଲା। ବୋମା ବିସ୍ଫୋରଣ ଶବ୍ଦ ଶୁଣି ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ସାହିବାସୀ ଉଠିପଡ଼ିଥିଲେ। ଏ ସମ୍ପର୍କରେ କାହ୍ନୁଙ୍କୁ ସେମାନେ ଜଣାଇଥିଲେ। ଅଭିଯୁକ୍ତମାନେ ଆସିବା, ଘର ପାଖରେ ପଇଁତରା ମାରିବା ଏବଂ ବୋମା ଫିଙ୍ଗିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ତେବେ ଦୁର୍ବୃତ୍ତମାନେ ହେଲିମେଟ ପିନ୍ଧିଥିବାରୁ ଏବଂ ବାଇକ୍‌ଟି ନମ୍ବର ବିହୀନ ହୋଇଥିବାରୁ ସେମାନଙ୍କୁ ସ୍ଥାନୀୟ ବାସିନ୍ଦା ଜାଣି ପାରି ନ ଥିବା କହିଛନ୍ତି। ଘଟଣା ପରେ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା ପୋଲିସ ପହଞ୍ଚତ୍ ତନାଘନା କରିଥିଲା। ତେବେ ସେତେବେଳକୁ ଦୁର୍ବୃତ୍ତମାନେ ଚମ୍ପଟ ମାରି ସାରିଥିଲେ। ଅନ୍ୟପଟେ କାହ୍ନୁଙ୍କ କାହା ସହିତ ରାଜନୈତିକ କିମ୍ବା ବ୍ୟବସାୟିକ ଶତ୍ରୁତା ନ ଥିବା ସେ କହିଛନ୍ତି। ପୋଲିସ ନିକଟରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି। ପୂର୍ବତନ ଜିଲା ଯୁବ ବିଜେଡି ସଭାପତି କାହ୍ନୁ ଥିଲେ ପୂର୍ବତନ ନଗରପାଳ ଯଶୋବନ୍ତ ପରିଡ଼ାଙ୍କ ଅତି ନିକଟତର। ଠିକାଦାରି ବିବାଦକୁ ନେଇ ଯଶୋବନ୍ତଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ସମ୍ପୃକ୍ତ ଅଭିଯୁକ୍ତମାନେ ଜେଲ ବାହାରକୁ ଆସିଛନ୍ତି। ତେଣୁ ସେମାନଙ୍କ ମଧ୍ୟରୁ କେତେଜଣ କାହ୍ନୁଙ୍କୁ ଟାର୍ଗେଟ କରିଥାଇପାରନ୍ତି ବୋଲି ସହରରେ ଚର୍ଚ୍ଚା ହେଉଛି। ପୋଲିସ ବିଭିନ୍ନ ଦିଗ ଏବଂ ସିସିଟିଭି ଫୁଟେଜ୍‌କୁ ନେଇ ତଦନ୍ତ ଆରମ୍ଭ କରିଛି।