ସାହିତ୍ୟ ଜଗତରେ ବୋମା ଆତଙ୍କ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ବଲିଉଡ୍‌ର ଅଗ୍ରଣୀ ଅଭିନେତା ଆମିର ଖାନ୍‌ ୧୯୯୫ରେ ରାମଗୋପାଳ ବର୍ମାଙ୍କ ରୋମାଣ୍ଟିକ୍‌ କମେଡି ‘ରଙ୍ଗିଲା’ରେ ଅଭିନୟ ପାଇଁ ଫିଲ୍ମଫେୟାର ନୋମିନେଶନ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲେ। ସେ ଦୃଢ଼ନିଶ୍ଚିତ ଥିଲେ ଯେ ଏହି ଶ୍ରେଷ୍ଠ ଅଭିନେତା ପୁରସ୍କାର ତାଙ୍କୁ ମିଳିବ। କିନ୍ତୁ ସେତେବେଳେ ‘ଦିଲ୍‌ଓ୍ବାନେ ଦୁଲ୍‌ହନିୟା ଲେ ଯାଏଙ୍ଗେ’ର ନାୟକ ଶାହରୁଖ ଖାନ୍‌ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେଲେ। ଏହା ଆମିରଙ୍କୁ ହତୋତ୍ସାହିତ ତଥା କ୍ଷୁବ୍ଧ କରିଥିଲା। ତା’ପରେ ସେ ନିଷ୍ପତ୍ତି ନେଇଥିଲେ, ଏଣିକି କୌଣସି ପୁରସ୍କାର ଉତ୍ସବରେ ଯୋଗଦେବେନାହିଁ। ତାଙ୍କର ଏହି କଠୋର ଶପଥ ପାଳନପୂର୍ବକ ସେ ବହୁ ଅନୁନୟ ବିନୟ ସତ୍ତ୍ୱେ କୌଣସି ପୁରସ୍କାର ଉତ୍ସବ, ବି-ଟାଉନ ଷ୍ଟାର୍‌ମାନଙ୍କ ସମାବେଶକୁ ଗଲେନାହିଁ। ଅବଶ୍ୟ ଏମିତି ଅପ୍ରୀତିକର ଘଟଣା ଥାଇ ମଧ୍ୟ ଶାହରୁଖ ଓ ଆମିରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଛି। ଉଭୟେ ଆମିରଙ୍କ ‘ଲାଲ୍‌ ସିଂ ଚଢ଼ା’ ଫିଲ୍ମରେ ଅଭିନୟ କରିଥିଲେ।
ତେବେ ଏହି ପ୍ରସଙ୍ଗ ସୂଚାଏ ପୁରସ୍କାରର ପ୍ରଭାବ କେତେ ଶକ୍ତିଶାଳୀ। ଏହା ଜଣକ ଜୀବନଶୈଳୀକୁ ଅସମ୍ଭବ ଭାବେ ବଦଳାଇ ଦେଇପାରେ। କେବଳ ଚଳଚ୍ଚିତ୍ର ଜଗତରେ ନୁହେଁ, ସାହିତ୍ୟ କ୍ଷେତ୍ରରେ ମଧ୍ୟ ପୁରସ୍କାରର ଭୂମିକା ବେଶ୍‌ ଚମକପ୍ରଦ ଓ ଚାଞ୍ଚଲ୍ୟକର। ଆନେ ଏର୍ନାକ୍ସ (ଜନ୍ମ: ୧୯୦୦, ଲିଲେବନ, ଫ୍ରାନ୍ସ) ଜଣେ ବିଶ୍ୱବିଖ୍ୟାତ ଲେଖିକା। ତାଙ୍କ ଆତ୍ମଜୀବନୀ ଉପରେ ଆଧାରିତ ‘କ୍ଲିନ୍‌ଡ ଆଉଟ’ ଫରାସୀ ଭାଷାରେ ଲିଖିତ ଉପନ୍ୟାସରୁ ସାହିତ୍ୟରେ ଲେଖିବା ଆରମ୍ଭ କରିଥିଲେ। ପରବର୍ତ୍ତୀ କାଳରେ ବାପାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଉପନ୍ୟାସ (ଏ ମ୍ୟାନ୍ସ ପ୍ଲେସ୍‌, ୧୯୮୪) ପ୍ରକାଶ କରିଥିଲେ। ତାଙ୍କର ବିଭିନ୍ନ ସାହିତ୍ୟ କୃତି ପାଇଁ ଏକାଧିକ ବିଶ୍ୱସ୍ତରୀୟ ସଂସ୍ଥା ତାଙ୍କୁ ପୁରସ୍କାରରେ ସମ୍ମାନିତ କରିଥିଲେ। ତେବେ ସାରା ବିଶ୍ୱର ସେ ଦୃଷ୍ଟି ଆକର୍ଷଣ କରିଥିଲେ ଯେତେବେଳେ ୨୦୨୨ ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ବିଜୟିନୀ ହେଲେ। ଏହି ଅବସରରେ ‘ଦି ଗାର୍ଡିଆନ’ ତରଫରୁ ତାଙ୍କର ଗୋଟିଏ ସାକ୍ଷାତ୍‌କାର ଚାର୍ଲସଟନ୍‌ରେ ଅନୁଷ୍ଠିତ ଉତ୍ସବରେ ଆଉ ଜଣେ ଯୁବ ଲେଖିକା ସାଲିରୁନିଙ୍କ ଦ୍ୱାରା ନିଆଯାଇଥିଲା। ସେଥିରେ ଏହି ବୟାଅଶୀ ବର୍ଷିଆ ଲେଖିକା ଯାହା କହିଥିଲେ, ତାହା ଜଣକୁ ବିସ୍ମୟାଭିଭୂତ କରିଦେବ। ସ୍ପଷ୍ଟଭାବେ ଯାହା ଜଣାଇଥିଲେ, ସେଥିରେ ସ୍ବୀକାର କରିଛନ୍ତି, ସେ ଏହି ମର୍ଯ୍ୟାଦାଜନକ ପୁରସ୍କାର ଆଦୌ ଚାହୁଁ ନ ଥିଲେ। ଏହା ତାଙ୍କ ଉପରେ ବୋମା ପଡ଼ିବା ପରି ଏକ ନିଷ୍ଠୁର, ହୃଦୟ ବିଦାରକ, ଅପ୍ରତ୍ୟାଶିତ ଆଘାତ ଦେଲା। ଏହାପରେ ସେ ଆଉ ସ୍ବଚ୍ଛନ୍ଦରେ ଲେଖିପାରିବେ ନାହିଁ। ତେବେ ଲେଖିବା ହେଉଛି ତାଙ୍କ ପାଇଁ ବଞ୍ଚିବାର ରାସ୍ତା। ଏଣିକି ଲେଖନୀ ଚାଳନା ଏକ ଦୁରୂହ ବ୍ୟାପାର ହୋଇଯିବ। କୋଡ଼ିଏଟି ବହିର ରଚୟିତା ଆନେ କହିଥିଲେ, ତାଙ୍କ ଲେଖିବାର ଉଦ୍ଦେଶ୍ୟ ପୁରସ୍କାର ପ୍ରାପ୍ତି ପାଇଁ ନୁହେଁ; ବରଂ ଲୋକଙ୍କ ସହ ଯୋଡ଼ିହେବା ସକାଶେ। ଏଥିସହ ସେ ସାହିତ୍ୟ ରଚନାର ପ୍ରକ୍ରିୟା ସମ୍ବନ୍ଧରେ ମତ ଦେଇଥିଲେ ଯେ, ଏହା ଖୁବ୍‌ ଅସ୍ପଷ୍ଟ। ଏହା ଲେଖିକାଙ୍କୁ ଛିନ୍ନ କରିବା ଏବଂ ମୃତ୍ୟୁ ଘଟାଇବା ପାଇଁ ପ୍ରେରିତ। ତଥାପି ଏହା ତାଙ୍କୁ ମୋକ୍ଷ କରିବ। ଏଥିରେ ନିର୍ବାଣ ପ୍ରାପ୍ତି ହେବ। ତେଣୁ କୌଣସି ରଚନାକୁ ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାଡ଼ିଦେବା ଏକ ଅପରାଧ।
ତଥାପି ସାହିତି୍ୟକମାନେ ପୁରସ୍କାର ପାଇଁ ଲାଳାୟିତ। ଯେତେ ମିଳିବ ସେମାନେ ସେତେ ଖୁସି। ଆମେ ଜାଣିବାରେ ଓଡ଼ିଶା ତଥା କେନ୍ଦ୍ର ଏକାଡେମୀ ପୁରସ୍କାର ଭାରତୀୟ ଜ୍ଞାନପୀଠ ପୁରସ୍କାର, ମୂର୍ତ୍ତିଦେବୀ ପୁରସ୍କାର, ସାହିତ୍ୟ ଏକାଡେମୀ ପୁରସ୍କାର, ସାରଳା ପୁରସ୍କାର, ଉତ୍କଳ ସାହିତ୍ୟ ସମ୍ମାନ ଓ ଓଡ଼ିଆ ପାଠକ ସଂଘ ଦ୍ୱାରା ପ୍ରଦତ୍ତ ସମ୍ମାନ, ଅତିବଡ଼ୀ ସମ୍ମାନ ଇତ୍ୟାଦି ହେଉଛି ସୁପରିଚିତ ମର୍ଯ୍ୟାଦାସମ୍ପନ୍ନ ପୁରସ୍କାର। ଧରାଯାଉ ଜଣେ ଲେଖକ ଏହି ତାଲିକାରୁ ଅନେକ ପୁରସ୍କାର ପାଇସାରିଛନ୍ତି। ତଥାପି ଯଦି ଆହୁରି ଅଧିକ ସମ୍ମାନ ପ୍ରତି ସେ ଦୃଷ୍ଟି ପକାନ୍ତି, ଆମେ ତାଙ୍କୁ କ’ଣ କହିବା? ଅବଶ୍ୟ ଜଣେ ଘନ ଘନ ପୁରସ୍କାର ବିଜୟୀ ହେଲେ ଆମେ କେବଳ ଲେଖକଙ୍କୁ ଏଥିପାଇଁ କଟୁ ସମାଲୋଚନା କରିବା ଯଥାର୍ଥ ହୋଇ ନ ପାରେ। ଉଲ୍ଲେଖନୀୟ ଯେ , ଏମିତି କେତେକ ସଂସ୍ଥା ଅଛି, ଯାହାକି ନିଜ ଅନୁଷ୍ଠାନର ମାନବୃଦ୍ଧି କରିବାକୁ ଯଶସ୍ବୀ ବ୍ୟକ୍ତିମାନଙ୍କୁ ଖୋସାମତ କରି ପୁରସ୍କୃତ କରୁଛନ୍ତି।
ସେ ଯାହାହେଉ, ଲେଖକଟିର ସମ୍ମାନ ତାଲିକା ଲମ୍ବି ଲମ୍ବି ଯାଏ। ଏହା ତେଲିଆ ମୁଣ୍ଡରେ ତେଲ ଢାଳିବା ପରି। ଆମେ ଜାଣୁ, ଏମିତି ତେଲ ମାରିଲେ ତା’ର ସୁଖର କିଛି ଅଂଶ ଆଖିରେ ପଶି ଜଳାପୋଡ଼ାକରେ। ଫଳରେ ଯେଉଁ ଯନ୍ତ୍ରଣାର ସମ୍ମୁଖୀନ କରାଏ, ତାହା ସାମାନ୍ୟ ନୁହେଁ। କିନ୍ତୁ ବହୁଳ ପୁରସ୍କୃତ ଲେଖକ ଏହାର ଏକ ବ୍ୟତିକ୍ରମ। ତା’ ମସ୍ତକ ଏମିତି ବିଚିତ୍ର ଢଙ୍ଗରେ ଗଢ଼ାଯାଇଛି ଯେ ତେଲର ପରିମାଣ ଯେତେ ବଢ଼ାଇଲେ ମଧ୍ୟ ତାହା ଝରି ଯାଉଛି।
ତେବେ କହିବା କଥା, ଲେଖକଟି ନିଜେ ପ୍ରଲବ୍ଧ ନ ହେଲେ କିମ୍ବା ପୁରସ୍କାର ଗ୍ରହଣ ପାଇଁ ଅନିଚ୍ଛୁକ ହେଲେ, ଏମିତି ଅଶୋଭନୀୟ ପରିସ୍ଥିତି ଦେଖା ଦିଅନ୍ତା ନାହିଁ। କିନ୍ତୁ ଏହି ମନୋଭାବ ଦୃଷ୍ଟିଗୋଚର ହେଉନାହିଁ। ଆମ ମଧ୍ୟସ୍ଥ ଜଣେ ମଧ୍ୟ ବ୍ୟକ୍ତି ଆନେଙ୍କ ନୋବେଲ ପୁରସ୍କାର ପ୍ରାପ୍ତି ପ୍ରତି ପ୍ରତିକୂଳ ମତ ସ୍ବାଗତ କରି ପୁରସ୍କାରକୁ ବୋମା ବୋଲି ଭାବୁନାହାନ୍ତି। କିଏ ଜାଣେ, ଏଇ ପୁରସ୍କାରମାନ ଉକ୍ତ ଲେଖକମାନଙ୍କୁ ବୋମା ଆକ୍ରମଣର ଆଶଙ୍କାରେ ଦିନେ ଆକ୍ରାନ୍ତ କରିବ ଏବଂ ସେମାନେ ବ୍ୟତିବ୍ୟସ୍ତ ହେବେ।
ଏହି ପରିପ୍ରେକ୍ଷୀରେ ମୁଲା ନସରିଦ୍ଦୁନ୍‌ଙ୍କ ସମ୍ପର୍କିତ ଏକ ଘଟଣା ଆମ ସ୍ମରଣକୁ ଆସେ। ତାଙ୍କ ପ୍ରତ୍ୟେକ ମାମୁ ମରିବା ପରେ ମୁଲ୍ଲାଙ୍କ ନାମରେ ପଚାଶ ହଜାର ଟଙ୍କାର ଧନରାଶି ଉଇଲନାମା ଅନୁସାରେ ଉପହାର ଦିଅନ୍ତି। ପ୍ରଥମ ମାମୁ ମରିବା ପରେ ପରେ ସେ ପଚାଶ ହଜାର ଟଙ୍କା ପାଇଲେ। ଦୁଇଦିନ ପରେ ଅନ୍ୟ ଜଣେ ମାମୁଙ୍କ ମୃତ୍ୟୁ ପରେ ତାଙ୍କୁ ଏମିତି ମାଗଣା ଆଉ ପଚାଶ ହଜାର ଟଙ୍କା ମିଳିଲା। ମାସେ ଯାଇଛି କି ନାହିଁ, ଅନ୍ୟ ଜଣେ ମାମୁଙ୍କ ଦେହାବସାନ ଘଟିବାରୁ ତୃତୀୟ ଥର ଏମିତି ଧନ ଲାଭ ହେଲା। ତାଙ୍କ ସାଙ୍ଗସାଥୀମାନେ ଧରିନେଲେ ଯେ, ମୁଲ୍ଲା ଭାରି ଭାଗ୍ୟବାନ୍‌। ମାସେ ଦୁଇମାସ ଭିତରେ ଦେଢ଼ଲକ୍ଷ ଟଙ୍କା! ତାଙ୍କୁ ଅଭିନନ୍ଦନ ଜଣାଇବାକୁ ସେମାନେ ତାଙ୍କ ନିକଟକୁ ଗଲେ। ଭାବିଥିଲେ, ଉତ୍ତମ ଜଳଯୋଗ ସହ ସ୍ପେଶାଲ ଚା’ ମୁଲ୍ଲା ଖୁସିରେ ପିଆଇବେ। କିନ୍ତୁ ତାଙ୍କ ନିକଟରେ ପହଞ୍ଚତ୍ ଦେଖିଲେ ଯେ, ସେ କାନ୍ଦୁଛନ୍ତି। ସେମାନେ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଏହାର କାରଣ ପଚାରିଲେ। ମୁଲ୍ଲା କହିଲେ, ”ମୋର ଆହୁରି କେତେଜଣ ମାମୁ ଅଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ କେହି ମଧ୍ୟ ମରିବା ସମ୍ଭାବନା ନିକଟରେ ନାହିଁ। ସେମାନେ ଖୁବ୍‌ ସୁସ୍ଥ ସବଳ ଓ ସଚେତନ ଅଛନ୍ତି। ମୋତେ ଆଉ ଏମିତି ଉପୁରି ଟଙ୍କା ମିଳିବା ଆଶା ନାହିଁ।“ ଆମ ପ୍ରତିଷ୍ଠିତ ସାହିତି୍ୟକମାନଙ୍କଠାରେ ଆମେ ଏମିତି ମନୋବୃତ୍ତି ଦେଖୁଛେ। ସେମାନେ କହୁନାହାନ୍ତି, ”ଆମେ ବହୁତ ପୁରସ୍କାର ପାଇଲୁଣି। ଏତିକିରେ ଥାଉ। ଦୟାପୂର୍ବକ ଆଉ ଆମକୁ ପୁରସ୍କୃତ କରନାହିଁ।“
ମୋ: ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜୀବିକା ପାଇଁ ମାଛ ଧରୁଥିବାବେଳେ ଗଛ ଲଗାଇ ଜୈବ ବିବିଧତାର ସୁରକ୍ଷା କରୁଛନ୍ତି କେରଳର କଣ୍ଡଲ ରଞ୍ଜନ। କନ୍ନୁର ଜିଲାରେ କଣ୍ଡଲଙ୍କ ଘର। କଣ୍ଡଲର ଅର୍ଥ...

ବିଷମିଶା ରଙ୍ଗିନ ଖାଦ୍ୟ

ବର୍ଷାଦିନେ ଲଗାଣ ବର୍ଷା ଭିତରେ ଗରମ କୋବି ମାଞ୍ଚୁରିଆନ, ରଙ୍ଗିନ ମିଠା, କଟନକ୍ୟାଣ୍ଡି ଆଉ ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ବରଫ ଗୋଲା ହେଉ ବା...

ବଜେଟରେ ସାଧାରଣ ଜନତା

ଜୁଲାଇ  ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରିଥିଲେ। ପୂର୍ବଥର ଭଳି ବଜେଟ ଏଥର ଦେଶର ସାଧାରଣ ଜନତା ବିଶେଷ କରି କୃଷକ,...

ଇସ୍ତଫା ପଛର କାରଣ

ଜଣେ ଆଇଏଏସ୍‌ ପ୍ରୋବେସନରଙ୍କ ନକଲି ସାର୍ଟିଫିକେଟ୍‌କୁ ନେଇ ହୋଇଥିବା ଘୋଟାଲା ପରେ ୟୁପିଏସ୍‌ସି ଅଧ୍ୟକ୍ଷ ଡ. ମନୋଜ ସୋନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି...

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri