ଭଞ୍ଜନଗରରେ ଆତଙ୍କ, ଥାନା ପଛପଟେ ପୌରାଧ୍ୟକ୍ଷଙ୍କ ଘର ଉପରକୁ ବୋମା ମାଡ଼

ଭଞ୍ଜନଗର,୨୨।୫(ବାବୁଲା ପ୍ରଧାନ): ରାଜ୍ୟରେ ଅପରାଧୀମାନେ ଖୋଲା ଖୋଲି ଭାବେ ଗୋଟିଏ ପରେ ଗୋଟିଏ ଅପରାଧ ଭିଆଇ ଚାଲିଛନ୍ତି । ଇତିମଧ୍ୟରେ ଗଞ୍ଜାମ ପୋଲିସ ଅପରାଧକୁ ଦମନ କରିବା ପାଇଁ ଦୁଇଟି ଏନକାଉଣ୍ଟର ମଧ୍ୟ କଲାଣି । ତଥାପି ଅପରାଧିମାନେ ପୋଲିସକୁ ଭୟ କରୁନାହାନ୍ତି । ଏହିଭଳି ପରିସ୍ଥିତିରେ ଗୁରୁବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଭଞ୍ଜନଗର ଥାନା ପଛପଟେ ଥିବା ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ଘର ଉପରକୁ ବୋମା ମାଡ କରିଛନ୍ତି । ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ସହରରେ ଆତଙ୍କ ଖେଳିଯାଇଛି।

ଅପରାଧୀମାନେ ପୋଲିସକୁ ଖୋଲା ଖୋଲି ଭାବେ ଚ୍ୟାଲେଞ୍ଜ ଦେଇଛନ୍ତି । କିଏ କେଉଁ କାରଣରୁ ବୋମା ମାଡ଼ କରିଥିଲା ତାହା ସଠିକ୍ ଭାବେ ଜଣାପଡ଼ି ନାହିଁ । ତଥାପି ପୂର୍ବ ଶତ୍ରୁତାରୁ ଏହି ବୋମା ମାଡ଼ ହୋଇଥିବା ଆଶଙ୍କା କରାଯାଉଛି। ଥାନା ଅଧିକାରୀ ଜୀବନାନନ୍ଦ ଜେନା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଏଥିସହ ସହରର ବିଭିନ୍ନ ସ୍ଥାନରେ ଏବଂ ପୌରାଧ୍ୟକ୍ଷଙ୍କ ଘର ସମ୍ମୁଖରେ ଥିବା ସିସିଟିଭି ଫୁଟେଜକୁ ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ଏଥିସହ ଆଉ କିଛି ସମୟ ପରେ ଛତ୍ରପୁରରୁ ସାଇଣ୍ଟିଫିକ୍ ଟିମ୍ ଘଟଣାର ଅଧିକ ତଦନ୍ତ ପାଇଁ ଆସିବ ବୋଲି ଜଣାପଡିଛି ।

ଘଟଣାରୁ ପ୍ରକାଶ ଯେ ଭଞ୍ଜନଗର ମ୍ୟୁନିସିପାଲଟି ପକ୍ଷରୁ ଗତ ୧୭ ତାରିଖରେ ଦେବୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଉକ୍ତ ଦିନ ସହରରେ ପ୍ରବଳ ଭିଡ ଥିବା ବେଳେ ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରସ୍ପରକୁ ଆକ୍ରମଣ କରିଥିଲେ। ଏଥିରେ କିଛି ଯୁବକ ଆହତ ମଧ୍ୟ ହୋଇଥିଲେ । ଏନେଇ ଥାନାରେ ସେ ସମୟରେ ଉଭୟ ଗୋଷ୍ଠୀ ପକ୍ଷରୁ ୩ ଟି ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ୩ ଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏହି ଘଟଣାରେ କାହାରିକୁ ଗିରଫ ମଧ୍ଯ ଆଜି ପର୍ଯ୍ୟନ୍ତ କରାଯାଇନାହିଁ। ଉକ୍ତ ବିବାଦରୁ ପୌରଧକ୍ଷାଙ୍କୁ ଭୟଭୀତ କରାଇବା ପାଇଁ ଦୁର୍ବୁତ୍ତମାନେ ଏହିଭଳି ପନ୍ଥା ଆପଣାଇଥିବା ଆଶଙ୍କା କରାଯାଉଛି । ତେଣୁ ଅପରାଧିମାନେ ଗୁରୁବାର ରାତି ପ୍ରାୟ ୧୨ ଟା ସମୟରେ ଗୋଟିଏ ବାଇକ୍ ରେ ଦୁଇଜଣ ଯୁବକ ଆସି ପୌରାଧ୍ୟକ୍ଷଙ୍କ ଘର ଉପରକୁ ଲକ୍ଷ୍ୟ କରି ଗୋଟେ ବୋମା ମାଡ କରି ଚାଲି ଯାଇଥିଲେ। ଏହି ସମୟରେ ପୌରାଧ୍ୟକ୍ଷ ଘରେ ନଥିଲେ। ପରିବାର ଲୋକେ ଥିଲେ । ଶବ୍ଦ ଶୁଣି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଲାଇଛି।

ଏଥିରେ ପୌରଧକ୍ଷଙ୍କ ଘର କିମ୍ବା କାହାର କିଛି କ୍ଷତି ହୋଇନାହିଁ । ଦୃର୍ବୁତ୍ତମାନେ ଘର ଠାରୁ ୫୦ ମିଟର ଦୂରରେ ରହି ଘର ଉପରକୁ ବୋମା ମାଡ଼ କରିଥିଲେ। ବୋମାଟି ଗ୍ୟାରେଜ ଘର ଉପରେ ପଡ଼ିଛି । ଏନେଇ ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି। ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।

 

Dharitri – Odisha’s No.1 Odia Daily

Share