ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଘର ଉପରକୁ ବୋମାମାଡ଼ ଘଟଣା: ବାପି ସର୍ଖେଲଙ୍କୁ ଟାର୍ଗେଟ୍‌ କରି ଏକାଠି ହେଲେ…

ପାରାଦୀପ,୭ା୬(ଶରତ ରାଉତ): ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳଙ୍କ ଘର ଉପରେ ଗତମାସ ୩୦ ତାରିଖରେ ପେଟ୍ରୋଲ ବୋମାମାଡ଼ ହୋଇଥିଲା। ଉକ୍ତ ଘଟଣାକୁ ନେଇ ରବିବାର ପାରାଦୀପ ରାଜନୀତି ସରଗରମ ହୋଇଛି। ବିଜେଡି, ଭାଜପା, କଂଗ୍ରେସ, କମ୍ୟୁନିଷ୍ଟ ଦଳ ପକ୍ଷରୁ ପାରାଦୀପ ଏଏସ୍‌ପି ଆଜିଙ୍କ୍ୟ ମାଣେଙ୍କୁ ଅଲଗା ଭାବେ ଦାବିପତ୍ର ଦିଆଯାଇଛି। କିନ୍ତୁ ସବୁ ଦଳ ଏକାସାଙ୍ଗରେ ବଡ଼ପଡ଼ିଆ ଆଦର୍ଶଥାନା ଆଗରେ ଏକାଠି ହୋଇଥିଲେ। ଏହା ସହିତ ପାରାଦୀପ ସିଟିଜେନ ଫୋରମ ନାମକ ଅଣ ପଞ୍ଜୀକୃତ ସଂଗଠନ ପକ୍ଷରୁ ଦାବିପତ୍ର ଦିଆଯାଇଛି। ସମସ୍ତ ଦାବିପତ୍ରରେ ସମାନ ପ୍ରସଙ୍ଗ ରହିଛି। ଯଥା ପୌରାଧ୍ୟକ୍ଷ ବିଶ୍ବାଳଙ୍କ ବୋମାମାଡ଼ ଘଟଣାରେ ପୋଲିସ ଜ୍ୟୋତିକାନ୍ତ ପରିଡ଼ା(ବାପୁ)ଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଛି। କିନ୍ତୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅରିନ୍ଦମ ସର୍ଖେଲ (ବାପି)ବୋଲି ଦର୍ଶାଯାଇଛି।

ଘଟଣା ସମ୍ପର୍କରେ ବିଜେଡି ନଗର ସଭାପତି କୁମରବର ନାୟକ କୁହନ୍ତି, ପୋଲିସ ଉକ୍ତ ବୋମାମାଡ଼ ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଯେଉଁମାନେ ଘଟଣା ଘଟାଇଥିଲେ। ଉକ୍ତ ୩ ଜଣଙ୍କୁ ବାପୁ ପରିଡ଼ା ପଠାଇଥିଲେ ବୋଲି ଜଗତସିଂହପୁର ଏସ୍‌ପି ଅଙ୍କିତ ବର୍ମା ଦର୍ଶାଇଥିଲେ। କିନ୍ତୁ ଆମର ଦାବି ହେଲା ବାପି ସର୍ଖେଲ ୨୦୦୦ ମସିହା ଠାରୁ ପାରାଦୀପ ଆସିବା ପରେ ଅନେକ ଆପରାଧିକ ଘଟଣା ଘଟିଛି। ଏଥିରେ ମଧ୍ୟ ସର୍ଖେଲଙ୍କ ସଂପୃକ୍ତି ଥିବା ଆମେ ଅନୁଭବ କରୁଛୁ। ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ।କଂଗ୍ରେସ ନଗର ସଭାପତି କେଦାର ବିଶ୍ବାଳ କୁହନ୍ତି, ଏହି ଘଟଣାରେ ସର୍ଖେଲଙ୍କ ସଂପୃକ୍ତି ଥିବା ଆମେ ଦାବି କରୁଛୁ। ବାରମ୍ବାର ସର୍ଖେଲ ଦଳବଦଳ କରି ପାରାଦୀପକୁ ଅଶାନ୍ତ କରୁଛନ୍ତି।

ଭାଜପା ପାରାଦୀପ ମଣ୍ଡଳ ସଭାପତି ସୁବ୍ରତ କୁମାର ପ୍ରଧାନ କୁହନ୍ତି ପାରାଦୀପ ଭଳି ଶାନ୍ତ ଅଞ୍ଚଳରେ ଅଶାନ୍ତ ସୃଷ୍ଟି କରୁଥିବା ସର୍ଖେଲଙ୍କ ବିରୋଧରେ ଆଜି ସବୁ ରାଜନୈତିକ ଦଳ ଏକାଠି ହୋଇଛନ୍ତି। ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ସମାନ କଥା କୁହନ୍ତି କମ୍ୟୁନିଷ୍ଟ ଦଳ ଜିଲା ସଭାପତି ସୁବାସ ମହାପାତ୍ର।
ସବୁଠାରୁ କୌତୂହଳ ହେଲା ରବିବାର ଏହି ଦାବିପତ୍ର ଲେଖା ସମାନ ରହିବା ସହ କେବଳ ଭିନ୍ନ ଦଳ ଲେଟର ହେଡ୍‌ ରହିଛି।

ସୂଚନାଯୋଗ୍ୟ, ଗତ ୩୦ ତାରିଖ ବୋମାମାଡ଼ ଘଟଣାରେ ପାରାଦୀପ ଆଦର୍ଶଥାନା ପୋଲିସ ୧୪୭/୨୬ରେ ମାମଲା ରୁଜୁ କରିଛି। ଏବଂ ଜୁନ ୩ରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେହି ୩ ତାରିଖରେ ଜଗତସିଂହପୁର ଏସ୍‌ପି ବର୍ମା ଖବରଦାତା ସମ୍ମିଳନୀ କରି ଘଟଣା ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ଏଥିରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଜ୍ୟୋତିକାନ୍ତ(ବାପୁ)ପରିଡା ବୋଲି ଦର୍ଶାଇଥିଲେ। ସେତେବେଳେ ଏସ୍‌ପି ବର୍ମାଙ୍କୁ ବାପି ସର୍ଖେଲଙ୍କ ସମ୍ପର୍କରେ ପଚାରିଲେ ସେ ତାଙ୍କ ସଂପୃକ୍ତିକୁ ଅସ୍ବୀକାର କରିଥିଲେ। ଏବେ ସୁଦ୍ଧା ବାପୁ ପରିଡ଼ା ଫେରାର ଥିବା ପୋଲିସ ପକ୍ଷରୁ କୁହାଯାଇଛି। ଉକ୍ତ ଖବରଦାତା ସମ୍ମିଳନୀର ୪ ଦିନ ପରେ ସବୁ ରାଜନୈତିକ ଦଳ ଏକାଠି ହୋଇ ବାପୁ ପରିଡ଼ାଙ୍କ ଜରିଆରେ ବାପି ସର୍ଖେଲଙ୍କୁ ଟାର୍ଗେଟ କରିଛନ୍ତି।
ଘଟଣା ସମ୍ପର୍କରେ ସର୍ଖେଲଙ୍କୁ ପଚାରିଲେ କୁହନ୍ତି ଶାସକ ଦଳର ନେତା ଓ କର୍ମୀମାନେ ବିଜୟ ଚୋରି ମାମଲାରେ ଛନ୍ଦି ହେବା ପରେ ପାରାଦୀପରେ ସବୁ ଦଳର କେତେକ କର୍ମୀଙ୍କୁ ନେଇ ଏପରି ମିଥ୍ୟା ଆରୋପ ଲଗାଉଛନ୍ତି। ପୌରାଧ୍ୟକ୍ଷ ବିଶ୍ବାଳ ଭୁବନେଶ୍ୱର ଗଲେ ବିଜେଡି କିନ୍ତୁ ପାରାଦୀପରେ ସେ ଭାଜପା ପାଇଁ କାମ କରୁଛନ୍ତି।

ଏଏସ୍‌ପି ମାଣେଙ୍କୁ ଦାବିପତ୍ର ପାଇବା ପରେ କହିଥିଲେ, ଘଟଣାକୁ ଜଗତସିଂହପୁର ଏସ୍‌ପି ଗୁରୁତର ସହ ତଦନ୍ତ କରୁଛନ୍ତି। ଭିନ୍ନ ଭିନ୍ନ ଟିମ ଜରିଆରେ ତଦନ୍ତ ଚାଲିଛି। ଏଥିରେ ଯେ କେହି ସଂପୃକ୍ତ ଥିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

Dharitri – Odisha’s No.1 Odia Daily

Share