ବୋଲଗଡ଼ ରୋଡ୍‌ ହେବ ମାଣିକାଗୋଡ଼ା ରେଳ ଷ୍ଟେଶନ

ବୋଲଗଡ଼,୨ା୯(ଡି.ଏନ୍‌.ଏ.):ଖୋର୍ଦ୍ଧା ଜିଲାର ବୋଲଗଡ଼ ରୋଡ୍‌ ରେଳ ଷ୍ଟେଶନର ନାମ ପରିବର୍ତ୍ତନ କରାଯାଇ ମାଣିକାଗୋଡ଼ା ହେବ। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚିଠି ମାଧ୍ୟମରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ଜଣାଇଛନ୍ତି। ଏହି ସୂଚନା ଗୁରୁବାର ଏମ୍‌ପିଙ୍କ ବୋଲଗଡ଼ ପ୍ରତିନିଧି ରଘୁନାଥ ଷଡ଼ଙ୍ଗୀ ମାଣକାଗୋଡ଼ା ଅଞ୍ଚଳବାସୀଙ୍କୁ ଜଣାଇବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ପୂର୍ବାହ୍ନରେ ବୋଲଗଡ଼ ରୋଡ ଷ୍ଟେଶନରେ ଏମ୍‌ପିଙ୍କ ପ୍ରତିନିଧିଙ୍କ ନେତୃତ୍ୱରେ ଦଳେଇସାହି ସରପଞ୍ଚ ସତ୍ୟଭାମା ସ୍ବାଇଁ, ଶିକ୍ଷକ ନେତା ମଦନ ପ୍ରଧାନ, ସାମାକିକ କର୍ମୀ ଇଂ.କର୍ପୂର ସାହୁ, ପୂର୍ବତନ ସରପଞ୍ଚ ତ୍ରିନାଥ ସ୍ବାଇଁ, ସହଦେବ ସୁବୁଦ୍ଧି ପ୍ରମୁଖଙ୍କ ସମେତ ସ୍ଥାନୀୟ ବାସିନ୍ଦା ରେଳମନ୍ତ୍ରୀ ଓ ଏମ୍‌ପି ଷଡ଼ଙ୍ଗୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୂଚନାଥାଉ କି, ଖୋର୍ଦ୍ଧାରୋଡ ବଲାଙ୍ଗୀର ରେଳପଥ ନିର୍ମାଣ ସମୟରେ ବୋଲଗଡ଼ଠାରେ ଷ୍ଟେଶନ ହେବା ପରିବର୍ତ୍ତେ ଏଠାରୁ ପ୍ରାୟ ୮ କିଲୋମିଟର ଦୂର ମାଣିକାଗୋଡାରେ ବୋଲଗଡ଼ ରୋଡ୍‌ ନାମରେ ଷ୍ଟେଶନ ହୋଇଥିଲା। ବୋଲଗଡ଼ ଠାରେ ଏକ ପାସେଞ୍ଜର୍‌ ହଲ୍ଟ କରାଯାଇଥିଲା। ଫଳରେ ବୋଲଗଡ଼ ବାସିନ୍ଦା ଏହାକୁ ବିରୋଧ କରିବା ସହ ପାସେଞ୍ଜର ହଲ୍ଟକୁ ସ୍ଥାୟୀ ଷ୍ଟେଶନ ମାନ୍ୟତା ଦାବି କରି ଆସୁଥିଲେ। କିଛିମାସ ପୂର୍ବେ ବୋଲଗଡ଼ ଟାଉନ ପିଏଚକୁ ରେଳ ମନ୍ତ୍ରୀ ବୈଷ୍ଣବ ନିୟମିତ ଷ୍ଟେଶନର ମାନ୍ୟତା ଦେବା ପରେ ବୋଲଗଡ଼ ରୋଡ ଷ୍ଟେଶନକୁ ମାଣିକାଗୋଡା ଷ୍ଟେଶନରେ ନାମିତ କରିବା ପାଇଁ ଦାବି ହୋଇ ଆସୁଥିଲା। ତେବେ ଏହି ଷ୍ଟେଶନର ନାମ ପରିବର୍ତ୍ତନ ନେଇ ଏମ୍‌ପି ଷଡ଼ଙ୍ଗୀ ରେଳ ମନ୍ତ୍ରୀଙ୍କ ନିକଟରେ ଦାବି କରିଆସୁଥିଲେ।