ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ବଲାଙ୍ଗୀରରେ ‘ରନ୍ ଫର୍ ୟୁନିଟି’: ଏକତାର ବାର୍ତ୍ତା ଦେଲେ ପୋଲିସ ବାହିନୀ

ବଲାଙ୍ଗୀର, ୩୧।୧୦(ସୁନିଲ କୁମାର ମହାନ୍ତି): ଦେଶବ୍ୟାପୀ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆଜି ବଲାଙ୍ଗୀର ପୋଲିସ ପକ୍ଷରୁ ‘ରନ୍ ଫର୍ ୟୁନିଟି’ (ଏକତା ପାଇଁ ଦୌଡ଼) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜାତୀୟ ଅଖଣ୍ଡତା ଏବଂ ଏକତାର ବାର୍ତ୍ତା ଦିଆଯାଇଥିଲା।

ବଲାଙ୍ଗୀର ଏସ୍.ପି. ଅଭିଳାଷ ଜିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଦୌଡ଼ରେ ଜିଲାର ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଉତ୍ସାହର ସହିତ ଯୋଗଦେଇଥିଲେ। ଅତିରିକ୍ତ ଏସ୍.ପି. ହିମାଂଶୁ ବେହେରା ଓ ଗୁଣନିଧି ମଲ୍ଲିକ, ଟାଉନ ଥାନା ଆଇ.ଆଇ.ସି. ଅବନୀ ସାହୁ, ସଦର ଥାନା ଆଇ.ଆଇ.ସି. ରାଜକୁମାର ବିଶ୍ବାଳ, ପୁଇଁତଲା ଥାନା ଆଇ.ଆଇ.ସି. ସଞ୍ଜୟ ରାଉତରାୟ, ଲକ୍ଷ୍ମୀଯୋର ଥାନା ଆଇ.ଆଇ.ସି. ସଞ୍ଜୟ ସାହୁ, ଏବଂ ହୋମଗାର୍ଡ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଶରତ ସୁନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ।

ରିଜର୍ଭ ପଡ଼ିଆରୁ ବାହାରିଥିବା ଏହି ବିଶାଳ ଶୋଭାଯାତ୍ରା ଓ ଦୌଡ଼ ଜିଲା ପୋଲିସ କାର୍ଯ୍ୟାଳୟ ଦେଇ ଟାଉନ ଥାନା ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ଏହି କାର୍ଯ୍ୟକ୍ରମରେ ଶତାଧିକ ପୋଲିସ କର୍ମଚାରୀ ଯୋଗଦେଇ ଜନସାଧାରଣଙ୍କ ମଧ୍ୟରେ ଏକତା ଓ ଶୃଙ୍ଖଳାର ବାର୍ତ୍ତା ପ୍ରଚାର କରିଥିଲେ।

Dharitri – Odisha’s No.1 Odia Daily

Share