କର୍ଲାମୁଣ୍ଡା, ୨୪/୧୧ (ପ୍ରଦୀପ କୁମାର ସାହୁ): ବାଲେଶ୍ୱର ଜିଲାର ଡଗରା ବେଳାଭୂମିରେ ଜଳେଶ୍ୱର ଆର୍ଟ ଫାଉଣ୍ଡେସନ ପକ୍ଷରୁ ନଭେମ୍ବର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ୧୪ତମ ଆନ୍ତର୍ଜାତୀୟ କଳା ଶିବିର ଓ ବାଲୁକା କଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କଳା ଶିବିରରେ ଦେଶବିଦେଶର ବହୁ ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ଓ ବାଲୁକା ଶିଳ୍ପୀ ଯୋଗଦେଇ ନିଜ ନିଜର କଳାନୈପୁଣ୍ୟ ପ୍ରଦର୍ଶନ କରିଥିଲେ।
ଏହି ଅବସରରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରମୁଣ୍ଡା ଗ୍ରାମର ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁ ‘ବୋଇତ ବନ୍ଦାଣ’ ବିଷୟବସ୍ତୁକୁ ନେଇ ଏକ ଆକର୍ଷଣୀୟ ବାଲୁକା କଳାକୃତି ନିର୍ମାଣ କରିଥିଲେ। ଏହି କଳାକୃତିରେ ଜଣେ ଶିଶୁ ଡଙ୍ଗା ଭସାଉଥିବାର ମନୋରମ ଦୃଶ୍ୟକୁ ସୁନ୍ଦର ଭାବେ ଚିତ୍ରଣ କରାଯାଇଥିଲା। ତାଙ୍କର ଏହି ନିଆରା ଓ ଆକର୍ଷଣୀୟ କଳାକୃତି ଦର୍ଶକଙ୍କ ମନ ମୋହିଥିବା ବେଳେ ଆୟୋଜକଙ୍କ ପକ୍ଷରୁ ତାଙ୍କୁ ଉତ୍ସବ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା।