ବୋଇତ ବନ୍ଦାଣ: ପାରାଦୀପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୨୦୩୬ ସୁଦ୍ଧା…

ପାରାଦୀପ,୨୪।୧୧(ଶରତ ରାଉତ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଐତିହାସିକ ‘ବୋଇତ ବନ୍ଦାଣ ଉତ୍ସବ’ ତଥା ପାରାଦୀପ ବନ୍ଦର ଦିବସ ମଙ୍ଗଳବାର ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରାଚୀନ କଳିଙ୍ଗର ସାଧବ ପୁଅମାନେ ଦକ୍ଷିଣ-ପୂର୍ବ ଏସିଆର ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ, ବ୍ରହ୍ମଦେଶ, ଶ୍ୟାମଦେଶ, ଭିଏତନାମ, କାମ୍ବୋଡିଆ ଓ ସିଂହଳ ସହ ସ୍ଥାପନ କରିଥିବା ବାଣିଜି୍ୟକ ଓ ସାଂସ୍କୃତିକ ସମ୍ପର୍କକୁ ସ୍ମରଣ କରିବା ସହିତ ଆଧୁନିକ ଯୁଗରେ ‘ସମୃଦ୍ଧ ଓଡ଼ିଶା ୨୦୩୬’ ଲକ୍ଷ୍ୟ ହାସଲ ଦିଗରେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକୁ ଉଲ୍ଲେଖ କରିଥିଲେ।

ଏହା ସହିତ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଇଣ୍ଡୋନେସିଆର ବାଲି ଦ୍ୱୀପରେ ଓଡ଼ିଶା ପର୍ବ ଓ ବୋଇତ ବନ୍ଦାଣ ଉତ୍ସବ ପାଳନ କରୁଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ଆଲୋଚନା କରି ଅନ୍ତର୍ଜାତୀୟସ୍ତରରେ ଓଡ଼ିଆ ସଂସ୍କୃତିର ଭବ୍ୟ ପ୍ରସାରକୁ ସ୍ବାଗତ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆପଣଙ୍କ ସରକାର ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ପ୍ରତଶ୍ରୁତି ଦେଇଛି ଏବଂ ଏହା ନିଶ୍ଚିତ ଭାବ ପୂରଣ ହେବ। ମେଗା ପୋର୍ଟ ମାନ୍ୟତା ପାଇବାରେ ପାରାଦୀପ ହେଉଛି ଭାରତର ପୂର୍ବ ଉପକୂଳର ଏକମାତ୍ର ପ୍ରମୁଖ ବନ୍ଦର। ଏହା ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ ଏବଂ ଅଧିକାରୀ, କର୍ମଚାରୀ, ଡକ୍‌ ଶ୍ରମିକ ଓ ସହଯୋଗୀମାନଙ୍କ ବର୍ଷ ବର୍ଷର ପରିଶ୍ରମର ଫଳ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଐତିହାସିକ ପୃଷ୍ଠଭୂମି ଓ ବୋଇତ ବନ୍ଦାଣର ବ୍ୟାପକ ପ୍ରାସଙ୍ଗିକତା କାର୍ତ୍ତିକ ପୂର୍ଣ୍ଣିମାରେ ପାଳିତ ‘ଆ କା ମା ବୈ’ ପରମ୍ପରା ଏବଂ ପାରାଦୀପର ସାମୁଦ୍ରିକ ଇତିହାସକୁ ଉଲ୍ଲେଖ କରି ବକ୍ତବ୍ୟରେ କୁହାଯାଇଛି ଯେ ଆଷାଢ଼, କାର୍ତ୍ତିକ, ମାର୍ଗଶିର ଓ ବୈଶାଖ ମାସକୁ ପବିତ୍ର ମନେ କରାଯାଉଥିବା ବେଳେ କାର୍ତ୍ତିକ ମାସରୁ ସ୍ଥଳଭାଗରୁ ସମୁଦ୍ରକୁ ଅନୁକୂଳ ବାୟୁ ପ୍ରବାହିତ ହେଉଥିବାରୁ ପ୍ରାଚୀନ କାଳରେ ପାଲ-ଟଣା ଡଙ୍ଗା ମାଧ୍ୟମରେ ସମୁଦ୍ର ଯାତ୍ରା ସହଜ ହେଉଥିଲା। ସାଧବପୁଅମାନେ କେବଳ ବାଣିଜି୍ୟକ ସାମଗ୍ରୀ ନୁହେଁ, ବରଂ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଦୂରଦେଶକୁ ନେଇଥିଲେ, ଯାହାର ପ୍ରଭାବ ଆଜି ବି ଇଣ୍ଡୋନେସିଆର ବାଲି ଦ୍ୱୀପରେ ପାଳିତ ‘ମାସାକ ପାନ କେ ତୁକାଦ’ ଏବଂ ଥାଇଲାଣ୍ଡର ‘ଲୟ କ୍ରାଥୋଙ୍ଗ’ ପର୍ବରେ ଦେଖିବାକୁ ମିଲେ।

ଆଧୁନିକ ଏକବିଂଶ ଶତାବ୍ଦୀରେ ବିଶାଳକାୟ ମାଲବାହୀ ଜାହାଜ ଓ କଣ୍ଟେନର ସିପ ଯୁଗରେ ମଧ୍ୟ ବୋଇତ ବନ୍ଦାଣର ମହତ୍ତ୍ୱ ଆହୁରି ବ୍ୟାପକ ହୋଇଛି। ଆଜି ଏହି ଉତ୍ସବ କେବଳ ଓଡ଼ିଶା ମଧ୍ୟରେ ସୀମିତ ନ ରହି ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ ଓ ଦକ୍ଷିଣ-ପୂର୍ବ ଏସିଆରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନଙ୍କ ଦ୍ୱାରା ମଧ୍ୟ ମହା ଆଡ଼ମ୍ବରରେ ପାଳିତ ହେଉଛି, ଯାହା ବିଶ୍ୱ ଦରବାରରେ ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ପୁଞ୍ଜି ନିବେଶ, ବନ୍ଦର କ୍ଷମତା ଓ ‘ସମୃଦ୍ଧ ଓଡ଼ିଶା ୨୦୩୬’ ଲକ୍ଷ୍ୟ ଗତ ଅଢ଼େଇ ବର୍ଷ ମଧ୍ୟରେ ରାଜ୍ୟକୁ ପୁଞ୍ଜି ନିବେଶର ହବ ଭାବେ ଗଢ଼ି ତୋଳିବା ପାଇଁ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ସମେତ ସିଙ୍ଗାପୁର ଓ ୟୁଏଇ ଭଳି ଦେଶ ଓ ସହରକୁ ଯାଇ ନିବେଶ ଆକର୍ଷଣ କରାଯାଇଛି। ମୋଟ ୨୩.୫ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମଧ୍ୟରୁ ୩.୫ ଲକ୍ଷ କୋଟି ଟଙ୍କାର ୨୦୦ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି।

ଯେଉଁଥିରେ ୨.୬୫ ଲକ୍ଷ କୋଟି ଟଙ୍କାର ୧୪୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ୮୫ ହଜାର କୋଟି ଟଙ୍କାର ୫୫ଟି ପ୍ରକଳ୍ପର ଉଦ୍‌ଘାଟନ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ୨.୮୩ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି ଏବଂ ଏହାର ଏକ ସିଂହଭାଗ ପାରାଦୀପ ଅଞ୍ଚଳକୁ ଆସିଥିବାରୁ ଆଗାମୀ କିଛି ବର୍ଷରେ ପାରାଦୀପ ସମଗ୍ର ଦେଶର ଏକ ଅଗ୍ରଣୀ ବ୍ୟବସାୟିକ ଓ ଔଦ୍ୟୋଗିକ ଅଞ୍ଚଳ ଭାବେ ପରିଗଣିତ ହେବ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ନୀଳ ଅର୍ଥନୀତି, ଗ୍ରୀନ ଏନର୍ଜି ଓ ହିତାଧିକାରୀଙ୍କ ଲାଭ ବନ୍ଦର ଭିତ୍ତିକ ଅଭିବୃଦ୍ଧି ଓ ନୀଳ ଅର୍ଥନୀତିକୁ ତ୍ୱରାନ୍ବିତ କରିବା ପାଇଁ ଗଞ୍ଜାମର ବାହୁଦା ମୁହାଣରେ ବନ୍ଦର, ମହାନଦୀ ମୁହାଣରେ ଜାହାଜ ନିର୍ମାଣ ଓ ମରାମତି କ୍ଲଷ୍ଟର, ପାରାଦୀପରେ ଗ୍ରୀନ ହାଇଡ୍ରୋଜେନ ହବ ଏବଂ ପୁରୀର ମଙ୍ଗଳା ନଦୀ ମୁହାଣ ନିକଟରେ କ୍ରୁଜ ଟର୍ମିନାଲ ନିର୍ମାଣ କରାଯିବ। ପାରାଦୀପରେ ଗ୍ରୀନ ହାଇଡ୍ରୋଜେନ ଓ ଗ୍ରୀନ ଆମୋନିଆ ପ୍ରକଳ୍ପଗୁଡ଼ିକୁ ରପ୍ତାନୀ ବଜାର ସହ ଯୋଡ଼ିବା ପାଇଁ ପାରାଦୀପ ବନ୍ଦର ୭୯୭ କୋଟି ଟଙ୍କା ବିନିଯୋଗରେ ବାର୍ଷିକ ୪ ମିଲିଅନ ଟନ୍‌ କ୍ଷମତାର ଏକ ସ୍ବତନ୍ତ୍ର ବର୍ଥ ଏବଂ ୪୦ ଏକର ଜମିରେ ଷ୍ଟୋରେଜ ଫାସିଲିଟି ନିର୍ମାଣ କରିବ। ଏହା ସହିତ ପାରାଦୀପ, ଧାମରା ଓ ଗୋପାଳପୁର ସମେତ ରାଜ୍ୟର ଅନ୍ୟ ବନ୍ଦରଗୁଡ଼ିକର ଆଧୁନିକୀକରଣ ଦ୍ୱାରା ଖଣିଜ ପଦାର୍ଥ, ଇସ୍ପାତ ଓ ଆଲୁମିନିୟମ ସହ କୃଷିଜାତ ଦ୍ରବ୍ୟ, ସାମୁଦ୍ରିକ ଖାଦ୍ୟ ଓ ହସ୍ତଶିଳ୍ପ ରପ୍ତାନୀ ବହୁଗୁଣିତ ହୋଇଛି। ଏହି ବୃହତ ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟର ଦକ୍ଷ ଯୁବକମାନଙ୍କ ପାଇଁ ବ୍ୟାପକ କର୍ମସଂସ୍ଥାନ ସୃଷ୍ଟି ହେବା ସହିତ ସ୍ଥାନୀୟ ଶ୍ରମିକ, ବନ୍ଦର କର୍ମଚାରୀ, କୃଷକ, ମତ୍ସ୍ୟଜୀବୀ, ହସ୍ତଶିଳ୍ପ କାରିଗର, ପର୍ଯ୍ୟଟନ କ୍ଷେତ୍ରର ବ୍ୟବସାୟୀ ଏବଂ ଶିଳ୍ପ-ବାଣିଜ୍ୟ ଉଦ୍ୟୋଗୀମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲାଭବାନ ହେବେ।

ସମାରୋହରେ ଯୋଗଦେଇ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୁବଶକ୍ତିର ଭୂମିକା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି, ଯୁବପିଢ଼ି ହେଉଛନ୍ତି ଦକ୍ଷତା ଓ ସଶକ୍ତିକରଣର ପ୍ରତୀକ ଏବଂ କେବଳ ଦକ୍ଷ ଯୁବକମାନେ ହିଁ ସମାଜରେ ପରିବର୍ତ୍ତନ ଆଣିପାରିବେ। ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ବୋଇତ ବନ୍ଦାଣ ହେଉଛି ଆମ ପୂର୍ବପୁରୁଷଙ୍କ ଦକ୍ଷତାର ପରିଚୟ, ଯାହା ଆଜି ରାଜ୍ୟର ଦ୍ରୁତ ଶିଳ୍ପ ବିକାଶରେ ପ୍ରତିଫଳିତ ହେଉଛି।

କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ ଉପସ୍ଥିତ ରହି ଓଡ଼ିଶା ମାଟିର କଳା, ସଂସ୍କୃତି, ଐତିହ୍ୟ ବିଶ୍ୱ ଦରବାରରେ ପ୍ରତିଷ୍ଠିତ ବୋଲି କହିଥିଲେ।
ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁଶାନ୍ତ କୁମାର ପୁରୋହିତ ସ୍ବାଗତ ଭାଷଣରେ କହିଲେ ଯେ, ବୋଇତ ବନ୍ଦାଣ ଭଳି ପବିତ୍ର ପର୍ବରେ ନେତୃବୃନ୍ଦଙ୍କ ଉପସ୍ଥିତି ଓଡ଼ିଶାବାସୀଙ୍କ ପାଇଁ ଗୌରବ ଓ ଆନନ୍ଦର ବିଷୟ।

ଅତୀତର କଳିଙ୍ଗ ସାଧବମାନେ ଯେଉଁ ସାହସ, ଉଦ୍ୟମଶୀଳତା ଓ ଆତ୍ମବିଶ୍ୱାସ ସହ ବଙ୍ଗୋପସାଗର ଅତିକ୍ରମ କରି ଦୂରଦୂରାନ୍ତ ଦେଶକୁ ସମୁଦ୍ରଯାତ୍ରା କରୁଥିଲେ, ତାହାକୁ ସ୍ମରଣ କରି ଏହା ପାଳନ କରାଯାଉଛି। ଏହି ଅବସରରେ ବନ୍ଦର ଉପାଧ୍ୟକ୍ଷ ଟି. ଭେନୁଗୋପାଲ, ଆଇଜି, କେନ୍ଦ୍ରାଞ୍ଚଳ ସତ୍ୟଜିତ ନାୟକ, ଜିଲ୍ଲାପାଳ ଜେ ସୋନାଲ, ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମାଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

Share