କାଠଯୋଡ଼ି ନଦୀରୁ ମୃତଦେହ ଉଦ୍ଧାର ମାମଲା: ମୃତ ଯୁବତୀ FM ମେଡିକାଲ କଲେଜ ଛାତ୍ରୀ, ଘର…

କଟକ/ବାରଙ୍ଗ,୪।୬(ପ୍ରଭୁ କଲ୍ୟାଣ ପାଲ/ ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଥାନା ଅଧୀନ କାଠଯୋଡ଼ି ନଦୀରୁ ଗୁରୁବାର ଭୋରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। ସେ ହେଲେ ବାଲେଶ୍ୱର ଏଫ୍‌.ଏମ୍‌. ମେଡିକାଲ କଲେଜ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ। ତାଙ୍କ ଘର ମୟୂରଭଞ୍ଜ ଜିଲା ଉଦଳାରେ ବୋଲି ପୋଲିସ ଜାଣିବାକୁ ପାଇଛି। ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡ଼ାକ୍ତରଖାନା ପଠାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୨୧/୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଗୁରୁବାର ଭୋର ସମୟରେ ସ୍ଥାନୀୟ ଅଞ୍ଚଳର କେତେଜଣ ଲୋକେ ସୁବାସ ସେତୁ ଉପରେ ମର୍ନିଂ ୱାକ୍‌ରେ ଯାଉଥିଲେ। ଏହି ସମୟରେ ସେତୁ ଉପରେ ଏକ ପିଙ୍କ୍‌ କଲର ବ୍ୟାଗ ଓ ଗୋଟିଏ ହଳ ଚପଲ ଥୁଆ ହୋଇଥିବା ଦେଖିଥିଲେ। ସନ୍ଦେହ କରି ସ୍ଥାନୀୟ ଲୋକେ ଆଖପାଖରେ ଖୋଜାଖୋଜି କରିବା ସହୟରେ ପୋଲ ତଳ ନଦୀରେ ଜଣେ ଯୁବତୀ ଭାସୁଥିବା ଦେଖଥିଲେ।

ଏନେଇ ସ୍ଥାନୀୟ ଲୋକେ ବାରଙ୍ଗ ପୋଲିସ ଓ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଖବର ପାଇ ଉଭୟ ପୋଲିସ ଓ ଅଗ୍ନିଶମ କର୍ମଚାରୀ କାଠଯୋଡ଼ି ନଦୀ ଭିତରୁ ଯୁବତୀଙ୍କ ମୃତଦେହ ସହ ସେତୁ ଉପରୁ ଚପଲ ଓ ବ୍ୟାଗକୁ ଜବତ କରିଛି। ସମ୍ପୃକ୍ତା ଯୁବତୀ ଏକ ଜିନ୍ସ ପ୍ୟାଣ୍ଟ ଓ କଳାରଙ୍ଗର ଟି ଶାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ଉକ୍ତ ବ୍ୟାଗରୁ ଏକ ପ୍ରେସ୍କ୍ରିିପ୍‌ଶନ୍‌ ସମେତ ଏଟିଏମ୍‌ କାର୍ଡ ଓ ମୋବାଇଲ୍‌ ଫୋନ୍‌ ମିଳିଛି। ବ୍ୟାଗରୁ ମିଳିଥିବା ସୂଚନା ଆଧାରରେ ଯୁବତୀଙ୍କ ନାମ ଓ ଠିକଣା ଜଣାପଡ଼ିଛି ବୋଲି ପୋଲିସ କହିଛି।

Dharitri – Odisha’s No.1 Odia Daily