କେନାଲରୁ ମିଳିଲା ଯୁବକଙ୍କ ମୃତଦେହ, ଭଉଣୀ-ଭିଣୋଇଙ୍କୁ ଅଟକ ରଖି…

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ରାଇପୁର ଗାଁର କାହ୍ନୁ ସେଠୀ ନାମକ ଜଣେ ଯୁବକଙ୍କ ମୃତଦେହ ତୋଟା ସାହି ପାଳୁଅ ବାରି କେନାଲରୁ ଶୁକ୍ରବାର ଉଦ୍ଧାର ହୋଇଛି। ଘଟଣାସ୍ଥଳରୁ ବିଦେଶୀ ମଦ ବୋତଲ, ବିଷ ମିଶା ସ୍ପ୍ରାଇଟ ବୋତଲ, ଚପଲ, ଜଳଖିଆ ପ୍ୟାକେଟ୍‌କୁ ପୋଲିସ ଉଦ୍ଧାର କରି ତଦନ୍ତକୁ ତ୍ୱରାନ୍ବିତ କରିଛି। ପାରିପାର୍ଶ୍ୱିକ ସ୍ଥିତି ଓ ପୋଲିସର ପ୍ରାଥମିକ ତଦନ୍ତରୁ ଏହା ହତ୍ୟାକାଣ୍ଡ ପରି ଜଣାପଡୁଛି। ଘଟଣାସ୍ଥଳରେ ନୟାଗଡ଼ ଏସ୍‌ଡିପିଓ ସୃଷ୍ଟି ପ୍ରଧାନ, ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ କରୁଛି। ସନ୍ଧାନୀ କୁକୁର ମଧ୍ୟ ନିୟୋଜିତ ରହିଛି। ଅଧିକ ତଦନ୍ତ ପାଇଁ ପୋଲିସ କାହ୍ନୁଙ୍କ ଭଉଣୀ ଓ ଭିଣୋଇଙ୍କୁ ଅଟକ ତଦନ୍ତ କରୁଛି।

ମିଳିଥିବା ସୂଚନାନୁସାରେ, ଗୁରୁବାର କାହ୍ନୁ କାମକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ଟଙ୍କା ଦେଣନେଣକୁ ନେଇ ଭଉଣୀ-ଭାଇ ଭିତରେ କଥା କଟାକଟି ହୋଇଥିବାର କୁହାଯାଉଛି। ଘରର ରୋଜଗାରିଆ ପୁଅ ଥିଲେ କାହ୍ନୁ। ଦିନ ମଜୁରିଆ କାମ କରି ଘର ଚଳାଉଥିଲେ। ଦୁଇ ବର୍ଷ ତଳେ କାହ୍ନୁଙ୍କ ବାପାଙ୍କର କେରଳରେ ମୃତ୍ୟୁ ହୋଇଥିଲା।

Dharitri – Odisha’s No.1 Odia Daily

Share