ବାରିପଟ ବିଲରୁ ମିଳିଲା ନବଜାତ ଶିଶୁର ମୃତଦେହ; ଘଟଣାସ୍ଥଳରେ ଲୋକଙ୍କ ଭିଡ଼, ପୋଲିସର…

ଛତ୍ରପୁର, ୨୯।୧୧(ଦିଲୀପ ସାମଲ): ଗଞ୍ଜାମ ଜିଲା ହୁମା ଫାଣ୍ଡି ଅନ୍ତର୍ଗତ ହୁମା କେଉଟ ସାହି ନିକଟସ୍ଥ ବାରିପଟ ବିଲରୁ ରବିବାର ଏକ ନବଜାତ ଶିଶୁର ମୃତଦେହ ଠାବ ହୋଇଛି। ବିଲ ମଝିରେ ଶିଶୁଟିର ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଆଲୋଡ଼ନ ଓ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନା ଅନୁଯାୟୀ, ହୁମା କେଉଟ ସାହି ପଛପଟେ ଥିବା ବିଲରେ ଏକ ନବଜାତ ଶିଶୁର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ପ୍ରଥମେ ଦେଖିବାକୁ ପାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ତେବେ ଶିଶୁଟିର ମୃତ୍ୟୁ କେଉଁ ପରିସ୍ଥିତିରେ ଘଟିଛି ଏବଂ କିଏ ଓ କାହିଁକି ମୃତଦେହକୁ ଏଭଳି ପରିତ୍ୟକ୍ତ ଅବସ୍ଥାରେ ବିଲ ଭିତରେ ଫିଙ୍ଗି ଦେଇଛି, ସେନେଇ ଅଞ୍ଚଳରେ ନାନା କଳ୍ପନାଜଳ୍ପନା ଓ ଆଲୋଚନା ଜୋର ଧରିଛି।

ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଶିଶୁଟିର ପରିଚୟ ଓ ଘଟଣା ପଛର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି।

Dharitri – Odisha’s No.1 Odia Daily

Share