Categories: ରାୟଗଡା

ବଂଶଧାରା ନଦୀରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଗୁଣପୁର ୩।୯( ସୁଜାତା ପାଢ଼ୀ): ରାୟଗଡା ଜିଲା ଗୁଣପୁର ବଂଶଧାରା ନଦୀ ବିକ୍ରମପୁର ତୁଠରେ ଗାଧୋଇବାକୁ ଯାଇ ନିଖୋଜ ବ୍ୟକ୍ତିକୁ ମାଛଖୁଣ୍ଟି ଠାରେ ଗୁରୁବାର ସkରେ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ଗାଁ ଲୋକେ ନଦୀ କୂଳରେ ଗୋଟିଏ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନି ଘଟଣାସ୍ଥଳକୁ ଯାଇ ମୃତଦେହକୁ ଉଦ୍ଧାର କରି ଗୁଣପୁର ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ନିଖୋଜ ବ୍ୟକ୍ତି ଜଣକ କାଶୀପୁର ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମର ରୂପ ସିଂ ମାଝୀ ବୋଲି ଜଣାପଡ଼ିଛି। ଶୁକ୍ରବାର ମୃତଦେହ ବ୍ୟବଚ୍ଛେଦ ପରେ ପୁଲିସ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ବୋଲି ଜଣାପଡ଼ିଛି। ସୁଚନା ଅନୁଯାୟୀ ନିଖୋଜ ବ୍ୟକ୍ତି ଜଣକ ଗୁଣପୁର ଅଂଚଳରେ ରହି ଏକ ଘରୋଇ ବିଦ୍ୟୁତକରଣ ଠିକା ସଂସ୍ଥାରେ ଶ୍ରମିକ ଭାବେ କାମ କରୁଥିଲେ। ସେ ତାଙ୍କ କିଛି ସହଯୋଗୀଙ୍କ ସହ ବୁଧବାର ବଂଶଧାରା ନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଗାଧୋଇବା ସମୟରେ ନଦୀର ସୁଅରେ ଭାସି ଯାଇ ନିଖୋଜ ହୋଇ ଯାଇଥିଲେ। ଖବର ପାଇ ଗୁଣପୁର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇ ନ ଥିଲେ।

Dharitri – Odisha’s No.1, Most Trusted Odia Daily