ରିଆମାଳ, ୨୨/୮ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଚେଢ଼ଇମରା ଗ୍ରାମ ପଞ୍ଚାୟତର ଝରାବେରେଣୀ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଏକ ମାଈ ହାତୀର ମୃତଦେହ ଠାବ କରିଛି।
ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ କୁଣ୍ଢେଇଗୋଳା ସେକ୍ସନ ଫରେଷ୍ଟରଙ୍କଠାରୁ ହାତୀ ମୃତ୍ୟୁ ସମ୍ପର୍କରେ ସୂଚନା ପାଇବା ପରେ ରିଆମାଳ ବନାଞ୍ଚଳ ଅଧିକାରୀ ନିରଞ୍ଜନ ଧରୁଆ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା।
ପ୍ରାଥମିକ ତଦନ୍ତରୁ ମାଈ ହାତୀଟିର ମୃତ୍ୟୁ ସ୍ୱାଭାବିକ କାରଣରୁ ହୋଇଥାଇପାରେ ବୋଲି ବନ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ତେବେ ହାତୀର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଅଧିକାରୀମାନେ କହିଛନ୍ତି।
ଘଟଣାସ୍ଥଳରେ ଏସିଏଫ୍ ସ୍ୱାଧୀନତା ସାହାଣୀ, ରିଆମାଳ ରେଞ୍ଜର ନିରଞ୍ଜନ ଧରୁଆ, ବିଭିଓ ସଞ୍ଜୀବ କୁମାର ପାତ୍ର, କୁଣ୍ଢେଇଗୋଳା ସେକ୍ସନ ଫରେଷ୍ଟର ମନ୍ମଥ ବେହେରାଙ୍କ ସମେତ ବନ ବିଭାଗର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ତଦନ୍ତ କରିଥିଲେ। ହାତୀର ମୃତ୍ୟୁକୁ ନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
Dharitri – Odisha’s No.1 Odia Daily