ଡଙ୍ଗା ବୁଡ଼ି ନିଖୋଜ ଥିଲେ: ମିଳିଲା ୪ଜଣଙ୍କ ମୃତଦେହ

କୋରାପୁଟ,୨୯।୧୨(ଅମିତାଭ ବେହେରା): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅଧୀନ କୁଲାରସିଂ ପଞ୍ଚାୟତ ତାନସିଂ ନିକଟସ୍ଥ ପାତାଳୀ ନଦୀରେ ଡଙ୍ଗା ବୁଡି ନିଖୋଜ ଥିବା ୪ଜଣଙ୍କ ମୃତଦେହ ଶୁକ୍ରବାର ଉଦ୍ଧାର ହୋଇଛି। ଗୁରୁବାର ତାନ୍‌ସିଂ ଗ୍ରାମର ଲାଲମଣି ଶିସାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ଶୁକ୍ରବାର ଓଡ୍ରାଫ ଏବଂ ନନ୍ଦପୁର ଅଗ୍ନିଶମ ବିଭାଗ ପକ୍ଷରୁ ନଦୀରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ବହୁ ସମୟ ଖୋଜାଖୋଜି କରିବା ପରେ ଗଭୀର ପାଣିରୁ ନିଖୋଜ ୪ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମୃତକ ହେଲେ ଶଶିରେଖା ଆର୍ଲାବ (୩୫) ଏବଂ ୩ ନାବାଳିକା ଶାନ୍ତି ଶିସା (୭), ନବିନା ଆର୍ଲାବ (୧୪), ପୁଷ୍ପାଞ୍ଜଳି ଆର୍ଲାବ (୬)। ମୃତଦେହ ଉଦ୍ଧାର ପରେ ନଦୀ ଘାଟରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି l ଘଟଣା ସ୍ଥଳରେ ନନ୍ଦପୁର ପ୍ରଶାସନ ଓ ପଟ୍ଟାଙ୍ଗି ବିଧାୟକ ଉପସ୍ଥିତ ରହିଛନ୍ତି। ସେହିପରି ନନ୍ଦପୁର ପୋଲିସ ଏସ୍‌ଡିପି ଓ ସଞ୍ଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ତଦାରଖ କରିଥିଲେ।

ସୂଚନାଯୋଗ୍ୟ, ଗୁରୁବାର ୫ଜଣ ଏକ କାର୍ଯ୍ୟରେ ଯୋଗଦେବାକୁ ପାତାଳୀ ନଦୀ (ଜଲାପୁଟ ରିଜର୍ଭର) ଆରପଟେ ଥିବା ବଡେଲା ଗ୍ରାମକୁ ଯାଇଥିଲେ। ସେଠାରୁ ଦେଶୀ ଡଙ୍ଗା ନେଇ ଫେରିବା ବେଳେ ହଠାତ୍‌ ଡଙ୍ଗାଟି ଓଲଟି ପଡ଼ିଥିଲା। ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେତିକି ବେଳେ ଲାଲମଣିଙ୍କ ମୃତଦେହ ମିଳିଥିଲା। ସନ୍ଧ୍ୟା ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା। ଶୁବ୍ରବାର ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଓଡ୍ରାଫ ଏବଂ ନନ୍ଦପୁର ଅଗ୍ନିଶମ ବିଭାଗର ଖୋଜାଖୋଜି କରିଥିଲେ। ଏପରିକି ମାଛ ଜାଲ ସାହାର୍ଯ୍ୟରେ ନିଖୋଜ ୪ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ।

ଜିଲା ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ପାତାଳୀ ନଦୀର ଜଲାପୁଟ ରିଜର୍ଭର ଜଳରାଶି ଚାରି ପାଶର୍‌ବରେ ଥିବା କୁଲାରସିଂ, ପରଜା ବଡପଡା, ପାଡୁଆ, ଗୋଲୁର, ପାନ୍ଥଲୁଙ୍ଗ, ବିଲାପୁଟ, କୁଲାବିର ପଞ୍ଚାୟତବାସୀଙ୍କ ଯାତାୟାତ ନିମନ୍ତେ ୨ଟି ମୋଟର ବୋଟ ପ୍ରଦାନ କରାଯାଇଛି। ତାହା ଅଧିକାଂଶ ସମୟ ଅଚଳ ରହୁଥିବାରୁ ଲୋକେ ଦେଶୀ ଡଙ୍ଗାର ବ୍ୟବହାର କରି ଏଭଳି ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହେଉଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଅଚଳ ମୋଟର ଡଙ୍ଗାର ମରାମତି ସାଙ୍ଗକୁ ପଞ୍ଚାୟତ ପିଛା ଗୋଟିଏ ଲେଖାଏ ମୋଟର ଡଙ୍ଗା ଯୋଗାଇ ଦେବାକୁ ଦାବି କରାଯାଇଛି।