ବେପାରୀଙ୍କ କବ୍‌ଜାରେ ବୋଟ୍‌ ଆମ୍ବୁଲାନ୍ସ ଘାଟ

ମହାକାଳପଡ଼ା,୧୪।୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଉପକୂଳବର୍ତ୍ତୀ ମହାକାଳପଡ଼ା ବ୍ଲକର ବତିଘର ପଞ୍ଚାୟତ ନଦୀ ନାଳ ଘେରା ହୋଇ ରହିଛି। ସ୍ଥଳପଥରେ ଏହି ପଞ୍ଚାୟତଙ୍କୁ ସଂଯୋଗ ନ ଥିବାରୁ ବିଚ୍ଛିନ୍ନାଞ୍ଚଳ ଲୋକଙ୍କ ପାଇଁ ସ୍ବାସ୍ଥ୍ୟସେବା ପହଞ୍ଚତ୍ବା ନିମନ୍ତେ ରାଜ୍ୟ ସରକାର ସ୍ବତନ୍ତ୍ର ବୋଟ୍‌ ଆମ୍ବୁଲାନ୍ସ ସେବା କାର୍ଯ୍ୟକାରୀ କରୁଛନ୍ତି। ହେଲେ ସ୍ଥାନୀୟ ଅଞ୍ଚଳର କେତେଜଣ ବ୍ୟବସାୟୀ ବୋଟ୍‌ ଆମ୍ବୁଲାନ୍ସ ଖୋଳା ଘାଟ ସମ୍ମୁଖରେ ବିଭିନ୍ନ ଗୃହ ନିର୍ମାଣ ପାଇଁ ବାଲି, ଗୋଡ଼ି, ଇଟା, ମେଟାଲ ସମେତ ଟ୍ରାକ୍ଟର ରଖୁଛନ୍ତି। କେତୋଟି ବଡ଼ ମାଲ ବୋଝେଇ ଡଙ୍ଗା ନଙ୍ଗର ପକାଇ ରଖାଯାଇଛି। ଏହି ଡଙ୍ଗା ସାହାଯ୍ୟରେ ଗୃହ ନିର୍ମାଣ ସାମଗ୍ରୀକୁ ବତିଘର ପଞ୍ଚାୟତକୁ ନିଆଯାଇଥାଏ। ଫଳରେ ସ୍ଥାନୀୟ ରୋଗୀ ଏହି ବୋଟ୍‌ ଆମ୍ବୁଲାନ୍ସ ଘାଟକୁ ଆସିବାରେ ସମସ୍ୟା ହେଉଛି। ରୋଗୀମାନେ ଏଠାକୁ ଆସି ଫେରି ଯାଉଛନ୍ତି। ଆମ୍ବୁଲାନ୍ସ ବୋଟ୍‌ କର୍ମଚାରୀ ବାରମ୍ବାର ଅନୁରୋଧ କଲେ ମଧ୍ୟ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହେଉଛି।
ଖୋଳା ଘାଟରୁ ବୋଟ୍‌ ଆମ୍ବୁଲାନ୍ସ ବତିଘର ପଞ୍ଚାୟତ ରୋଗୀଙ୍କୁ ନେଇ ପାରାଦୀପ, ମହାକାଳପଡ଼ା, କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଇଁ ଖରିନାସି, ଜମ୍ବୁ ଘାଟରେ ଛାଡ଼ିଥାଏ। ପରେ ଅନ୍ୟ ଆମ୍ବୁଲାନ୍ସରେ ଅସୁସ୍ଥ ରୋଗୀଙ୍କୁ ବିଭିନ୍ନ ହସ୍ପିଟାଲକୁ ନିଆଯାଏ। ଏହି ଅଞ୍ଚଳଟି ନଦୀ ନାଳ ଘେରା ହୋଇଥିବାରୁ ଗୁରୁତର ରୋଗୀଙ୍କୁ ବୋଟ୍‌ ଆମ୍ବୁଲାନ୍ସ ହିଁ ଶେଷ ଭରସା। ବୋଟ୍‌ ଆମ୍ବୁଲାନ୍ସ ସେବା ସା ପରେ ବନ୍ଦ ରହିଥାଏ। ଅନେକ ସମୟରେ ଗୁରୁତର ରୋଗୀ ରାତିରେ ବୋଟ୍‌ ଆମ୍ବୁଲାନ୍ସ ଘାଟରୁ ଫେରିବାକୁ ପଡିଛି ବୋଲି କେତେଜଣ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି। ଏ ନେଇ ବତିଘର ସରପଞ୍ଚ ଦେବବ୍ରତ ମାଇତିଙ୍କୁ ପଚାରିବାରେ ପୂର୍ବରୁ ବହୁ ଅଭିଯୋଗ କରିଥିଲେ ମଧ୍ୟ ଦାୟିତ୍ୱରେ ଥିବା ଅଧିକାରୀ ଓ ଘାଟ ଆଗରେ ଗୃହ ନିର୍ମାଣ ସାମଗ୍ରୀ ରଖିଥିବା ବ୍ୟବସାୟୀ ଶୁଣୁନାହାନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲା ସ୍ବାସ୍ଥ୍ୟ ବିଭାଗ ଡିପିଏମ୍‌ ପ୍ରକାଶ ବାନାର୍ଜୀଙ୍କୁ ପଚାରିବାରେ ଏ ସଂକ୍ରାନ୍ତରେ ଅବଗତ ଅଛୁ। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି ବୋଲି ସେ କହିଛନ୍ତି। ମହାକାଳପଡ଼ା ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡାଙ୍କୁ ପଚାରିବାରେ ଘଟଣାସ୍ଥଳ ତଦାରଖ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।