ବ୍ଲ୍ୟୁ-ଫ୍ଲାଗ୍‌: ବିକଶିତ ହେବ ଆଉ ୫ ବେଳାଭୂମି

ଭୁବନେଶ୍ୱର,୫।୭(ବ୍ୟୁରୋ): ଓଡ଼ିଶା ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି। ସରକାର ପୁରୀ ପରେ ଏବେ ଆଉ ୫ ବେଳାଭୂମିର ସୌନ୍ଦର୍ଯ୍ୟକରଣ କରି ବ୍ଲ୍ୟୁ-ଫ୍ଲାଗ୍‌ ମାନ୍ୟତା ଯୋଗ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଗତବର୍ଷ ଅକ୍ଟୋବର ୧୧ରେ ପୁରୀ ସ୍ବର୍ଣ୍ଣିମ ବେଳାଭୂମିକୁ ବ୍ଲ୍ୟୁ-ଫ୍ଲାଗ୍‌ ମାନ୍ୟତା ମିଳିସାରିଥିବାବେଳେ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ଆଉ ୫ ବିଚ୍‌କୁ ବିଶ୍ୱସ୍ତରୀୟ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସେଗୁଡ଼ିକ ହେଲା, ଗଞ୍ଜାମ ଜିଲାର ପତି ସୋନାପୁର ଓ ହରିପୁର, ପୁରୀ ଜିଲାର ନୀଳାଦ୍ରି, ମୁହାଣ ଏବଂ ପିର ଜାହାନିଆ। ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ପର୍ଯ୍ୟଟନ ବିଭାଗ ମିଳିତ ଭାବେ ଏହି ୫ ବେଳାଭୂମିର ବିକାଶ କରିବେ। ତେବେ ପୁରୀ ନୀଳାଦ୍ରି ବେଳାଭୂମିର କାର୍ଯ୍ୟ ଶେଷ ହେବା ଉପରେ ଥିବାବେଳେ ଅନ୍ୟ ୪ ବିଚ୍‌ର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ କରାଯିବ। ପ୍ରତି ବିଚ୍‌ ନିମନ୍ତେ ଦେଢ଼ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ବେଳାଭୂମିରେ ଶୌଚାଳୟ, ସିମେଣ୍ଟ ଚେୟାର, ସୋଲାର ଲାଇଟିଂ ବ୍ୟବସ୍ଥା ଏବଂ ଓ୍ବାଚ୍‌ ଟାଓ୍ବାର ନିର୍ମାଣ କରାଯିବ। ବେଳାଭୂମି କୂଳରେ କୌଣସି ସ୍ଥାୟୀ ନିର୍ମାଣ ହେବ ନାହିଁ।