ରଜ ଖେଳ ବିବାଦରୁ ରକ୍ତାକ୍ତ ସଂଘର୍ଷ

ରାଉରକେଲା,୧୭।୬ (ସଙ୍ଗୀତା ଜେନା): ରଜ ପର୍ବ ଆନନ୍ଦ ଉଲ୍ଲାସରେ ଚାଲିଥିବାବେଳେ ଇସ୍ପାତ ସହର ରାଉରକେଲାରେ ରକ୍ତାକ୍ତ ସଂଘର୍ଷ ହୋଇଛି। ରଜ ଖେଳ ଆୟୋଜନକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଗୋଷ୍ଠୀ ସଂଘର୍ଷ ମଙ୍ଗଳବାର ଚରମ ରୂପ ନେଇଛି। ସେକ୍ଟର-୬ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପାର୍ଶ୍ୱ ଖେଳପଡ଼ିଆ ନିକଟରେ ଅପରାହ୍ନ ୨ଟାରେ ଏକ ଗୋଷ୍ଠୀ ଜଣେ ଯୁବକଙ୍କୁ ଫାର୍ସାରେ ହାଣି ହତ୍ୟା କରିଛନ୍ତି। ମୃତ ଯୁବକ ହେଲେ ଗୋଲଘର ରାମେଶ୍ୱରପାଲି ବସ୍ତିର ତୋଫାନ ବିନ୍ଧାଣୀ (୨୯)। ସେ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ରେ ହେଲ୍‌ପର ଭାବେ କାର୍ଯ୍ୟ କରୁଥିଲେ। ଏହି ଆକ୍ରମଣରେ ଗୁରୁତର ହୋଇଥିବା ଶୁଭେନ୍ଦୁ ସେଠୀଙ୍କୁ ଚିକିତ୍ସା ପାଇଁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ଖବର ପାଇ ସେକ୍ଟର-୭ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। ଫେରାର ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି। ଅପରପକ୍ଷେ, ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ସ୍ଥାନୀୟ ବସ୍ତି ବାସିନ୍ଦା ଥାନା ଘେରାଉ କରିଥିଲେ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗତ ୧୪ ତାରିଖ ପହିଲି ରଜ ଦିନ ଗୋଲଘର କମ୍ୟୁନିଟି ସେଣ୍ଟର ପଡ଼ିଆରେ ରଜ ଖେଳ ଆୟୋଜନକୁ ନେଇ ରାମେଶ୍ୱରପାଲି ଏବଂ ନାରାୟଣପାଲି ବସ୍ତିର ଯୁବକମାନଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହି ବିବାଦ ଉଗ୍ରରୂପ ଧାରଣ କରିଥିଲା ଏବଂ ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୂର୍ବରୁ ତୋଫାନ କୁଆଡ଼େ ଉକ୍ତ ଅଞ୍ଚଳରେ ନିଶା ସେବନ କରୁଥିବା କିଛି ଲୋକଙ୍କୁ ବିରୋଧ କରିଆସୁଥିଲେ। ଫଳରେ ପହିଲି ରଜ ପରଦିନ ତାଙ୍କୁ ଅପର ଗୋଷ୍ଠୀ ଟାର୍ଗେଟ କରିଥିଲେ। ଏଣୁ ତୋଫାନ ସୋମବାର ଭୟଭୀତ ହୋଇ ଦିନସାରା ଘରୁ ବାହାରି ନ ଥିଲେ। ସେ ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟା ସମୟରେ ରାମେଶ୍ୱରପାଲି ବସ୍ତିର କିଛି ଯୁବକମାନଙ୍କ ସହ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଡ଼ିଆରେ ବସି ଖିଆପିଆ କରୁଥିଲେ। ଏହି ସମୟରେ ଅପର ଗୋଷ୍ଠୀର ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଯୁବକ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚତ୍ ତୋଫାନଙ୍କୁ ଘେରିଯାଇ ଅତର୍କିତ ଆକ୍ରମଣ କରିଥିଲେ। ଏହି ସମୟରେ ଉକ୍ତ ଗୋଷ୍ଠୀର ଜଣେ ଯୁବକ ତୋଫାନଙ୍କୁ ଏକ ଫାର୍ସାରେ ବାରମ୍ବାର ଚୋଟ ମାରିଥିଲେ। ଫଳରେ ସେ ସେଠାରେ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡ଼ିଯାଇଥିଲେ। ଉପସ୍ଥିତ ସାଙ୍ଗମାନେ ତୋଫାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବା ବେଳେ ସେମାନଙ୍କ ମଧ୍ୟରୁ ଶୁଭେନ୍ଦୁ ଗୁରୁତର ହୋଇଥିଲେ। ଏହାପରେ ସମସ୍ତ ଆକ୍ରମଣକାରୀ ଫେରାର ହୋଇଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଉଭୟ ଗୁରୁତରଙ୍କୁ ଉଦ୍ଧାର କରି ଆଇଜିଏଚ୍‌ ପଠାଇଥିଲା। ସେଠାରେ ଡାକ୍ତର ତୋଫାନଙ୍କୁ ମୃତ ଘୋଷଣା କରିଥିଲେ।

Dharitri – Odisha’s No.1 Odia Daily

Share