ଭଞ୍ଜନଗର, ୨୧/୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ ରବିବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଖବର ଲେଖାଯିବା ସୁଦ୍ଧା ୫୦ରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି।
ଏହି ଶିବିରକୁ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। କ୍ଲବର କର୍ମକର୍ତ୍ତାମାନଙ୍କ ଏହି ମହତ୍ କାର୍ଯ୍ୟକୁ ସେ ପ୍ରଶଂସା କରିବା ସହ ଭବିଷ୍ୟତରେ ମଧ୍ୟ ଏଭଳି ସେବାମୂଳକ କାର୍ଯ୍ୟ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସିପିଆଇ(ଏମ୍)ର ପୂର୍ବତନ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ଭଞ୍ଜନଗର ଏଏସ୍ପି ରଞ୍ଜନ କୁମାର ଦେ, ଯୁବ ରେଡକ୍ରସର ପୂର୍ବତନ ରାଜ୍ୟ କର୍ମକର୍ତ୍ତା ବି. ଗୋବିନ୍ଦ ରାଓ, ରୋଟାରୀ କ୍ଲବ୍ ସଭାପତି ରଞ୍ଜିତ କୁମାର ବାରିକ, ନିର୍ବାହୀ ଅଧିକାରୀ ମୁରଲୀକୃଷ୍ଣ ପଣ୍ଡା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ, ବେଲଗୁଣ୍ଠା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ସଂଯୁକ୍ତା ପଣ୍ଡା ଏବଂ ସାମାଜିକ କର୍ମୀ ଏ. ବିଷ୍ଣୁ ପ୍ରସାଦ ପ୍ରମୁଖ ବିଭିନ୍ନ ପର୍ଯ୍ୟାୟରେ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ।
ଖବର ଲେଖାଯିବା ସୁଦ୍ଧା ରକ୍ତଦାନ ଶିବିର ଜାରି ରହିଥିବା ବେଳେ, ଆହୁରି କିଛି ବିଶିଷ୍ଟ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କବି ସମ୍ରାଟ ମିଡିଆ କ୍ଲବ୍ର ସଭାପତି ପ୍ରଦୀପ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଏହି ରକ୍ତଦାନ ଶିବିର ପରିଚାଳିତ ହେଉଛି।