ରିଷିଡା, ୨୨/୬ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସ୍ଥିତ ସୁଭଦ୍ରା ଶକ୍ତି କେନ୍ଦ୍ରଠାରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ‘ବିକାଶର ଧାରା, ଓଡ଼ିଶା ସାରା’ କାର୍ଯ୍ୟକ୍ରମର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନମିତା ରାଣୀ ସାହୁ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା କୁନି ସାହୁ ଉପସ୍ଥିତ ଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଚରିତା ମୁଗ୍ରୀ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ଭୋଇ ଯୋଗଦେଇଥିବା ବେଳେ ପୁଷ୍ପକାନ୍ତି କୁମାର ଓ କର୍ଲାମୁଣ୍ଡା ମଣ୍ଡଳ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ବବିତା ମଞ୍ଜରୀ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।
ବକ୍ତାମାନେ ମହିଳା ସଶକ୍ତିକରଣ, ସୁଭଦ୍ରା ଯୋଜନା, ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ସହ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ସରକାରୀ ଯୋଜନାଗୁଡ଼ିକର ସୁଫଳକୁ ଗ୍ରାମାଞ୍ଚଳର ମହିଳାମାନଙ୍କ ନିକଟରେ ପହଞ୍ଚାଇବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସିଡିପିଓଙ୍କ ସମେତ ମିଶନ ଶକ୍ତି, ଅଙ୍ଗନୱାଡି, ଏସ୍ଏଚ୍ଜି ଏବଂ ବିଭିନ୍ନ ବିଭାଗର ମହିଳା କର୍ମୀମାନେ ଉପସ୍ଥିତ ଥିଲେ। କର୍ଲାମୁଣ୍ଡା ବ୍ଲକର ୧୧ଟି ପଞ୍ଚାୟତରୁ ପ୍ରାୟ ୧୦୦ରୁ ଅଧିକ ମହିଳା ଏହି ସମାବେଶରେ ଯୋଗଦେଇଥିଲେ।