ଦାରିଙ୍ଗବାଡ଼ିରେ ବ୍ଲକ ସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’: ଜିଲା ସ୍ତରୀୟ ପ୍ରତିଯୋଗିତା ପାଇଁ ୬ କୃତୀ ଛାତ୍ରଛାତ୍ରୀ ମନୋନୀତ

ଦାରିଙ୍ଗବାଡ଼ି,୨୨।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଆଇଟିଆଇ (ITI) ପରିସରରେ ମଙ୍ଗଳବାର ବ୍ଲକ ସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’ ଆନନ୍ଦ-ଉଲ୍ଲାସ ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନୋଡାଲ ଅଫିସର ଥା ବିଡ଼ିଓ ପ୍ରୀତିରଞ୍ଜନ ରଥ ଅଧ୍ୟକ୍ଷତା କରିଥିବା ବେଳେ ଏବିଇଓ (ABEO) ତଥା ବିଆରସିସି କୌଶିକ ନାୟକ ଏବଂ ଅନ୍ୟତମ ଏବିଇଓ ମୁକୁନ୍ଦ ବଳିୟାର ସିଂହ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ବିଡ଼ିଓ  ରଥ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦେଇଥିଲେ।

ଏହି ଅଭିଯାନ ଅନ୍ତର୍ଗତ ବ୍ଲକ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୩ଟି ବିଭାଗରେ (ପ୍ରଥମରୁ ପଞ୍ଚମ, ଷଷ୍ଠରୁ ଅଷ୍ଟମ ଏବଂ ନବମରୁ ଦ୍ୱାଦଶ ଶ୍ରେଣୀ) ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି କୃତିତ୍ୱ ଅର୍ଜନ କରିଥିବା ୬ ଜଣ ଛାତ୍ରଛାତ୍ରୀଙ୍କୁ ଜିଲା ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଛି।

ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ନୋଡାଲ ଅଫିସର ଓ ଅନ୍ୟାନ୍ୟ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସିଆରସିସି (CRCC) ମାନେ ସମଗ୍ର କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

Dharitri – Odisha’s No.1 Odia Daily

Share