ଥୁଆମୂଳ ରାମପୁର, ୪।୧ (ଦୁର୍ଗା କୀର୍ତ୍ତି): ଆସନ୍ତା ୬ ଓ ୭ ତାରିଖରେ ସ୍ଥାନୀୟ ବାବା ଖଣ୍ଡୁଆଳ ମିନି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି ୨୮ତମ ବ୍ଲକ ସ୍ତରୀୟ ‘କଳାହାଣ୍ଡି ଉତ୍ସବ-ଘୁମୁରା ୨୦୨୬’ । ଏହି ପରିପ୍ରେକ୍ଷୀରେ ଶନିବାର ମାଁ ମାଣିକେଶ୍ୱରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଖେଳ ପଡ଼ିଆଠାରେ ବ୍ଲକ ସ୍ତରୀୟ ନକଆଉଟ ଭଲିବଲ ଟୁର୍ନାମେଣ୍ଟ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି । ଥୁଆମୂଳ ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡ଼ିଓ) ଧ୍ରୁବ ଚରଣ ମୁଦୁଲି ଏହି କ୍ରୀଡ଼ା ମହୋତ୍ସବରେ ଅତିଥି ଭାବେ ଯୋଗଦେଇ ଫିତା କାଟି ନଡ଼ିଆ ବାଡେଇ ଖେଳର ଶୁଭାରମ୍ଭ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ସହକାରୀ ନିର୍ୱାହୀ ଯନ୍ତ୍ରୀ ସାଲଖୁ ହେମ୍ୱ୍ରମ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁନାରାମ ସୋରେନ, ମହାବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା, ଯୋଗାଣ ନିରୀକ୍ଷକ ବିଭୁରଞ୍ଜନ ସାହୁ, ଆର.ଏଚ. ରାଜେନ୍ଦ୍ର ନାରାୟଣ ଦେବ ଏବଂ ଅଧ୍ୟାପକ ବିରଞ୍ଚି ନାଏକ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କଳାହାଣ୍ଡି ଏମପିଙ୍କ ବ୍ଲକ ପ୍ରତିନିଧି ପବିତ୍ର ନାଏକ, ବିଷ୍ଣୁ ନାଏକ ଓ ରାଧା ନାଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ନବଜୀବନ ଯୁବ ଅନୁଷ୍ଠାନ (NJYA) ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟରେ ମୋଟ ୧୬ଟି ପ୍ରତିଷ୍ଠିତ ଦଳ ଅଂଶଗ୍ରହଣ କରିଛନ୍ତି । ଏଥିରେ କାଠକୁରା, ପାଡେଲଗୁଡ଼ା, ସାନ୍ଦେରଲା, ବି. ହାଇସ୍କୁଲ ଡାକକୋଟା, ଏନ୍ଜେୱାଇଏ, ତଲଝାପି, ଡୁମେରପଦର, ସିରିମସ୍କା, ଦାବ୍ରିଗୁଡ଼ା, ତେରଙ୍ଗାଶିଲ, ପାଲଜୋର, ବାଗଡିଆଣି ଏବଂ MMPS ଥୁଆମୂଳ ରାମପୁର ଭଳି ଦଳଗୁଡ଼ିକ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଖେଳର ରବିବାର ଚୂଡ଼ାନ୍ତ ବିଜୟୀ ହୋଇ ଦଳକୁ ବ୍ଲକ ସ୍ତରୀୟ ମୁଖ୍ୟ ଉତ୍ସବରେ ପୁରସ୍କୃତ କରାଯିବ । ନବଜୀବନ ଯୁବ ଅନୁଷ୍ଠାନର କର୍ମକର୍ତ୍ତା ଅନନ୍ତ ନାଏକ, ଜିତେନ୍ଦ୍ର ବାଗ ଓ ହିତେଶ କୁମାର ନାଏକ ପ୍ରମୁଖ ସମଗ୍ର ଖେଳ ପରିଚାଳନା କରୁଛନ୍ତି ।


