ଲାଞ୍ଜିଗଡ଼,୧୧ା୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପରିଦର୍ଶନ କରି ପ୍ରଧାନମନ୍ତ୍ରୀ-ଜନମନ ଗୃହ ପ୍ରକଳ୍ପର ଅଗ୍ରଗତି ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟ ଉନ୍ନୟନ ଅଧିକାରୀ ସୌମ୍ୟ ରଞ୍ଜନ ପ୍ରଧାନ। ଲାଞ୍ଜିଗଡ଼ ବ୍ଲକର ଭଟାଙ୍ଗପଦର ପଞ୍ଚାୟତର ଟୁଟୁଗୁମା, ଲାଞ୍ଜି ପଞ୍ଚାୟତର ତୁର୍କା ଓ ବିକାଶ ନଗର, ବିଜେପୁର ପଞ୍ଚାୟତର ପିଡ଼ିଶାଲ ଓ ଲାଞ୍ଜିଗଡ଼ ପଞ୍ଚାୟତର କେନ୍ଦୁଗୁଡା ଗାଁକୁ ଯାଇ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ନିର୍ମିତ ହେଉଥିବା ଘରଗୁଡ଼ିକର ଉନ୍ନୟନ ଅଧିକାରୀ ନିରୀକ୍ଷଣ କରିଥିଲେ। ଗସ୍ତ ସମୟରେ ବିଭିନ୍ନ ଉନ୍ନୟନ କାମର ସ୍ଥିତି ମଧ୍ୟ ଅନୁଧ୍ୟାନ କରିଥିଲେ। ପରିଦର୍ଶନରେ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଧାନ ସମ୍ପୃକ୍ତ ଅଧିକାରୀଙ୍କୁ ବାକିଥିବା ଘର କାମ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଟୁଟୁଗୁମା ଗାଁକୁ ସଂଯୋଗ ପାଇଁ ଭଟାଙ୍ଗପଦର ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ତୁରନ୍ତ ରାସ୍ତା ନିର୍ମାଣ କାମ ଆରମ୍ଭ କରିବାକୁ କହିଥିଲେ। ପିଡ଼ିଶାଲ ଗାଁର ଗ୍ରାମବାସୀଙ୍କ ସହ ଆଲୋଚନା କରି ପାଇପ ଲାଇନ ଯୋଗେ ପାଣି ଯୋଗାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରିଦର୍ଶନ ପରେ ଲାଞ୍ଜିଗଡ଼ ବ୍ଲକ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରଧାନ ଗ୍ରାମୀଣ ଆବାସ ଯୋଜନା ଓ ଅନ୍ୟ ଉନ୍ନୟନ କାର୍ଯ୍ୟକ୍ରମକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଗସ୍ତ ସମୟରେ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସହିତ ଜିଲା ଗ୍ରାମୀଣ ଗୃହ ପ୍ରକଳ୍ପ ପରିଚାଳକ ଅମୂଲ୍ୟ ବାହୁଲ, ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ରଙ୍କ ସହ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ।