ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍ ପଡ଼ିଆରେ ବ୍ଲକ୍ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଜାତୀୟ ଦିବସ ପାଳନ କମିଟିର ଆବାହକ ତଥା ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ବ୍ଲକ୍ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ପ୍ରଥମ ଥର ପାଇଁ ଏହି ଅବସରରେ ‘ବନ୍ଦେ ମାତରମ୍’ ଗାନ କରାଯାଇଥିଲା। ଏହାପରେ ଅତିଥିମାନେ ସାମୂହିକ ପରେଡ୍ ଦଳକୁ ପରିଦର୍ଶନ କରିବା ସହ ପରେଡ୍ର ଅଭିବାଦନ ଗ୍ରହଣ କରିଥିଲେ। ପରେ ବ୍ଲକ୍ ଅଧ୍ୟକ୍ଷ ପ୍ରଧାନ ଉପସ୍ଥିତ ଛାତ୍ରୀଛାତ୍ର ଓ ଅଞ୍ଚଳବାସୀଙ୍କ ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।
ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ର ଙ୍କୁ ଅତିଥିମାନେ ପୁରସ୍କାର ସହ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଧୀରଜ ପାତ୍ର, ଅତିରିକ୍ତ ତହସିଲଦାର ଦୁଃଶାସନ ସ୍ୱାଇଁ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା, ଆଇଆଇସି ସଂଗ୍ରାମ କେଶରୀ ଜେନା, ଜାଗୃତିର ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ସମଗ୍ର କାର୍ଯ୍ୟକ୍ରମ ଉତ୍ସାହ ଓ ଦେଶପ୍ରେମର ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିଲା।
Dharitri – Odisha’s No.1 Odia Daily