ଗୁଡ଼ାରି,୧ା୧୧(ପ୍ରମୋଦ କୁମାର ପତି): ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ଦୃଷ୍ଟିରେ ରଖି ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗୁଡ଼ାରି ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଶୁଚିସ୍ମିତା ବେହେରାଙ୍କ ଉପସ୍ଥିତିରେ ଏକ ଗୁଗ୍ଲ ମିଟ୍ ବୈଠକ ରବିବାର ସନ୍ଧ୍ୟାରେ ହୋଇଥିଲା। ଏହି ବୈଠକରେ ତହସିଲଦାର ଏ. ସ୍ନେହଲତା, ଥାନା ଅଧିକାରୀ ବିଶ୍ୱବନ୍ଦିନୀ ବାଗ, ମେଡିକାଲ ଅଧିକାରୀ ସ୍ବାଗତ ସ୍ବାଇଁ, ସିଡିପିଓ ଅନିତା ପାଣିଗ୍ରାହୀଙ୍କ ସମେତ ବ୍ଲକସ୍ତରୀୟ ସମସ୍ତ ବିଭାଗୀୟ ମୁଖ୍ୟ ଏବଂ ଲାଇନ ଅଧିକାରୀ ଯୋଗ ଦେଇଥିଲେ। ଆସନ୍ତା ୩ ଓ ୪ ତାରିଖରେ ଜିଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି ହୋଇଛି। ବାତ୍ୟା ପ୍ରଭାବରେ ବ୍ଲକରେ କୌଣସି ପ୍ରକାର ଧନ ଜୀବନ ଯେପରି କ୍ଷତି ନ ହୁଏ ସେ ଦିଗରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହାଛଡ଼ା ନଦୀ କୂଳିଆ ତଳିଆ ଅଞ୍ଚଳରେ ଚିହ୍ନଟ ହୋଇଥିବା ଗ୍ରାମବାସୀଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀରେ ରଖିବା ପାଇଁ ମଧ୍ୟ ଯୋଜନା ହୋଇଛି। ବ୍ଲକର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ ହୋଇଥିବା ସୂଚନା ମିଳିଛି। ବ୍ଲକ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି ଏବଂ ଏ ଦିଗରେ ସାଧାରଣ ଜନତାଙ୍କ ସହଯୋଗ କାମନା କରିଛନ୍ତି ବିଡିଓ।