ମୋହନାରେ ଶିକ୍ଷା ବିଭାଗର ବିକଳ ଚିତ୍ର: ୬ ମାସ ହେଲା ନାହାନ୍ତି ସ୍ଥାୟୀ BEO, ଦୁଇ ବ୍ଲକ ଦାୟିତ୍ୱରେ…

ମୋହନା,୧୧।୧୧(ମନ୍ମଥ ମିଶ୍ର): ଶିକ୍ଷା ବ୍ୟବସ୍ଥାର ସୁଧାର ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଗଜପତି ଜିଲାର ଦ୍ୱିତୀୟ ବୃହତ୍ତମ ବ୍ଲକ ମୋହନାରେ ଶିକ୍ଷା ବିଭାଗର ପ୍ରଶାସନିକ ଅବହେଳା ଏବେ ସ୍ପଷ୍ଟ ବାରି ହୋଇପଡ଼ିଛି। ମୋହନା ବ୍ଲକରେ ୨୬୯ ଟି ବିଦ୍ୟାଳୟ ଥିବା ଏହି ବିଶାଳ ଅଞ୍ଚଳରେ ଦୀର୍ଘ ୬ ମାସ ହେବାକୁ ବସିଥିଲେ ବି ସ୍ଥାୟୀ ଗୋଷ୍ଠୀ ଶିକ୍ଷାଧିକାରୀ (ବିଇଓ) ନିଯୁକ୍ତ ନହେବା ଘଟଣା ଶିକ୍ଷା ବିଭାଗର କାର୍ଯ୍ୟଦକ୍ଷତା ଉପରେ ବଡ଼ ପ୍ରଶ୍ନଚିହ୍ନ ଲଗାଇଛି।

ସୂଚନା ଅନୁଯାୟୀ, ମୋହନା ବ୍ଲକରେ ୧୪୫ଟି ପ୍ରାଥମିକ, ୮୦ଟି ଉଚ୍ଚ ପ୍ରାଥମିକ ଓ ୪୪ଟି ଉଚ୍ଚ ବିଦ୍ୟାଳୟ ରହିଛି। ଏଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ନରେନ୍ଦ୍ର ବେହେରା ଗତ ଏପ୍ରିଲ ୩୦ ତାରିଖରେ ଅବସର ନେବା ପରେ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଏବିଇଓ ମଦନ କଅଁର ଦାୟିତ୍ୱ ତୁଲାଇଥିଲେ। ପରେ ମେ ୨୬ ତାରିଖରୁ ସରକାରୀ ନିର୍ଦ୍ଦେଶକ୍ରମେ ଆର୍‌. ଉଦୟଗିରି ବ୍ଲକର ବିଇଓ ବୀରେନ୍ଦ୍ର ମଣ୍ଡଳଙ୍କୁ ମୋହନା ବ୍ଲକର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଫଳରେ ଜଣେ ଅଧିକାରୀଙ୍କ ଉପରେ ଦୁଇଟି ବ୍ଲକର ଗୁରୁଦାୟିତ୍ୱ ନ୍ୟସ୍ତ ହୋଇଛି।

ମୋହନା ଏକ ବିଶାଳ ଓ ଆଦିବାସୀ ଅଧ୍ୟୁଷିତ ବ୍ଲକ ହୋଇଥିବା ସତ୍ତ୍ୱେ ଏଠାରେ ଶିକ୍ଷା ବିଭାଗର ନିୟମିତ ତଦାରଖ ପାଇଁ ସ୍ଥାୟୀ ଅଧିକାରୀ ନିଯୁକ୍ତିକୁ ଗୁରୁତ୍ୱ ନଦିଆଯିବା ଚିନ୍ତାର ବିଷୟ ପାଲଟିଛି। ଦୁଇଟି ବ୍ଲକର ଦାୟିତ୍ୱରେ ଥିବା ଜଣେ ଅଧିକାରୀ ଉଭୟ ସ୍ଥାନରେ କିଭଳି ସଠିକ୍ ପରିଚାଳନା ଓ ନିୟମିତ ତଦାରଖ କରିପାରିବେ, ତାହାକୁ ନେଇ ପ୍ରଶ୍ନ ଉଠିଛି। ମୋହନାରେ ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ ଶତପ୍ରତିଶତ ଉପସ୍ଥିତି ରହୁନଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ଏ ସମ୍ପର୍କରେ ଦାୟିତ୍ୱରେ ଥିବା ବିଇଓ ବୀରେନ୍ଦ୍ର ମଣ୍ଡଳଙ୍କୁ ଯୋଗାଯୋଗ କରାଯିବାରୁ ଅଧିକ କାର୍ଯ୍ୟ ହେତୁ ଆବଶ୍ୟକ ସ୍ଥଳେ ମୋହନା ଆସୁଥିବା କହିଛନ୍ତି। ଅନ୍ୟପକ୍ଷରେ, ଅତିଶୀଘ୍ର ମୋହନାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ ପୂରଣ ହେବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ମାୟାଧର ସାହୁ ସୂଚନା ଦେଇଛନ୍ତି। ତୁରନ୍ତ ମୋହନା ବ୍ଲକରେ ଜଣେ ସ୍ଥାୟୀ ବିଇଓ ନିଯୁକ୍ତ କରି ଶିକ୍ଷା ବିଭାଗର ପ୍ରଶାସନିକ ଅଚଳାବସ୍ଥା ଦୂର କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Share