ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସପ୍ତାହରେ ଫେଡେରେଶନ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (ଫିକି)ର ଶତାବ୍ଦୀ ସମାରୋହରେ ଯୋଗଦେଇ ଶିଳ୍ପଜଗତକୁ ଆତ୍ମସମୀକ୍ଷା କରିବା ଲାଗି ବାର୍ତ୍ତା ଦେଇଥିଲେ। ସେଠାରେ ସେ କହିଥିଲେ, ଉଦ୍ୟୋଗ ଜଗତର ଭୋକ ଅତୃପ୍ତ ରହୁଛି। ଯେତେ ଦେଲେ ମଧ୍ୟ ସେମାନଙ୍କ କ୍ଷୁଧା ବଢ଼ିଚାଲିଛି। ଏଠି ଜଗତ କହିଲେ ଆମେ ବୁଝୁ ଜଗତରନାଥ ଜଗନ୍ନାଥ। ବିଶ୍ୱ ବ୍ରହ୍ମାଣ୍ଡର ଉନ୍ନତି କାମ୍ୟ ହେବା ଦରକାର। କିନ୍ତୁ ପ୍ରଧାନମନ୍ତ୍ରୀ ଯେଉଁ ଜଗତକୁ ଲକ୍ଷ୍ୟ କରି କହିଲେ ବାସ୍ତବରେ ସେହି ଉଦ୍ୟୋଗ ଜଗତର ପ୍ରତ୍ୟେକ ସଂସ୍ଥା ସରକାରଙ୍କ ଦ୍ୱାରା ଲାଭାନ୍ବିତ ହେଉଛନ୍ତି କି ନାହିଁ, ତାହା ଅନୁସନ୍ଧାନସାପେକ୍ଷ। ଭାବପ୍ରବଣ ହୋଇ ଉପଦେଶ ଦେବା ଗୋଟେ କଥା ଓ ବାସ୍ତବ ରାସ୍ତା ଦେଖାଇବା ଆଉ ଏକ ବିଷୟ। ମୋଦିଙ୍କ ବ୍ୟାଖ୍ୟାନକୁ ଦେଖିଲେ ୨୦୧୪ରେ କମ୍ପାନୀ ଟିକସ ୩୦ ପ୍ରତିଶତ ଥିଲା, ଯାହାକୁ ପରବର୍ତ୍ତୀ ସମୟରେ ୨୨ ପ୍ରତିଶତକୁ ଖସାଇ ଦିଆଯାଇଥିଲା। ଟିକସ ବ୍ୟବସ୍ଥାକୁ ସରଳ କରାଯାଇଛି। ଶିଳ୍ପଜଗତର ଅଭିବୃଦ୍ଧି ପାଇଁ ସରକାର ସବୁ କରୁଥିବା ବେଳେ ସଂସ୍ଥାଗୁଡ଼ିକ ଦେଶ ପାଇଁ କ’ଣ କରୁଛନ୍ତି ତାହା ଚିନ୍ତା କରିବା ଦରକାର। ଅଭିବୃଦ୍ଧି ଦାୟିତ୍ୱ କେବଳ ସରକାରଙ୍କର ନୁହେଁ। କୃଷି କ୍ଷେତ୍ରରେ ଶିଳ୍ପ ସଂସ୍ଥା ନିବେଶ କରିବା ସହ କର୍ମଚାରୀଙ୍କ ମଙ୍ଗଳ କଥା ମଧ୍ୟ ଚିନ୍ତା କରିବା ଦରକାର ବୋଲି ମୋଦି କହିଥିଲେ। କିନ୍ତୁ ଦେଖିବାକୁ ଗଲେ ୨୦୧୪ରେ ମୋଦିଙ୍କ ନେତୃତ୍ୱାଧୀନ ସରକାର କେନ୍ଦ୍ରରେ କ୍ଷମତାକୁ ଆସିବା ପରେ କେବଳ ଆଦାନୀ, ଟାଟା ଓ ଜେଏସ୍ଡବ୍ଲ୍ୟୁ ଭଳି କେତୋଟି କମ୍ପାନୀର ଅଭିବୃଦ୍ଧିକୁ ଗୁରୁତ୍ୱ ଦେଇ ଆସିଛନ୍ତି। ଅପରପକ୍ଷରେ ବିମୁଦ୍ରୀକରଣ ଏବଂ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଲାଗୁ ହେବା ପରେ କ୍ଷୁଦ୍ର ଏବଂ ମଧ୍ୟମ ଧରଣର ବ୍ୟବସାୟିକ ସଂସ୍ଥାଗୁଡ଼ିକ ଉଧେଇପାରିନାହାନ୍ତି। ତେଣୁ କେଉଁଭଳି ଭାବେ ସମଗ୍ର ଶିଳ୍ପ ଜଗତକୁ ସରକାର ସବୁ ସୁବିଧା ଦେଇଛନ୍ତି ତାହା ତର୍ଜମା କରାଯିବା ଦରକାର।
ପ୍ରଧାନମନ୍ତ୍ରୀ ସରକାରଙ୍କ ଅର୍ଥନୈତିକ ବିଫଳତାକୁ ଶିଳ୍ପଜଗତ ଉପରେ ଲଦିଦେଇଥିବା କହି ବିରୋଧୀ ଯେଉଁ ସମାଲୋଚନା କରିଛନ୍ତି, ତାହାକୁ ଖୁଣି ହେବ ନାହିଁ। ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ସର୍ବସାଧାରଣ ମଞ୍ଚରେ ଉଦ୍ୟେଗ ଜଗତକୁ ଏପରି କହିବା ଅନେକ ଭାରତୀୟଙ୍କୁ ଖୁସି ଲାଗିପାରେ। ଦେଶର ପ୍ରଧାନମନ୍ତ୍ରୀ ନିଯୁକ୍ତି ଓ ଲୋକଙ୍କ ମଙ୍ଗଳ ଚିନ୍ତା କରୁଛନ୍ତି ବୋଲି ଗୋଟେ ବାର୍ତ୍ତା ଦେଶବାସୀଙ୍କ ପାଖକୁ ଯାଇଥାଇପାରେ। ହେଲେ ବାସ୍ତବତାକୁ ଅନିଶା କଲେ କୁହାଯାଇପାରେ ଯେ, ଗୋଟେ ଦେଶର ଔଦ୍ୟୋଗିକ ବିକାଶ କୁଟୀର ଶିଳ୍ପଠାରୁ ଆରମ୍ଭ କରି ବୃହତ୍ କମ୍ପାନୀ ଉପରେ ନିର୍ଭର କରେ। ଭାରତର ଉତ୍ପାଦନ ଅଭିବୃଦ୍ଧି ହାତଗଣତି କର୍ପୋରେଟ ହାଉସ୍ ଆଣିପାରିବେ ନାହିଁ। ସେଥିପାଇଁ ସାମୂହିକ ଯୋଗଦାନ ଲୋଡ଼ା। ଏଠାରେ ଚାଇନା ଦୃଷ୍ଟାନ୍ତ ଦିଆଯାଇପାରେ। ସେହି ଦେଶରେ ଏକ ଉତ୍ପାଦ ବଜାରକୁ ଆସିବାଯୋଗ୍ୟ ହେବାକୁ ହେଲେ ଅନେକ ସଂସ୍ଥାର ସହଯୋଗ ଲୋଡ଼ା ପଡ଼ିଥାଏ। ଅର୍ଥାତ୍ ପୂର୍ଣ୍ଣାଙ୍ଗ ସାମଗ୍ରୀର ବିଭିନ୍ନ ଅଂଶ ଭିନ୍ନ ଭିନ୍ନ କମ୍ପାନୀ କରିଥାଆନ୍ତି। ତାହାକୁ ମିଶାଇ ଦେଲେ ସ୍ବଳ୍ପ ସମୟ ମଧ୍ୟରେ ଅନେକ କୋଟି ଉତ୍ପାଦ ସୃଷ୍ଟି ହୋଇଯାଇଥାଏ। ତାହା ଦ୍ୱାରା ନିର୍ଦ୍ଦିଷ୍ଟ ଅଂଶ ସୃଷ୍ଟି କରିବାରେ ପାରଙ୍ଗମ ଥିବା ସଂସ୍ଥା ନିଜେ ଲାଭାନ୍ବିତ ହେବା ସହ ବଜାରକୁ ଉତ୍ପାଦ ପହଞ୍ଚାଇବାରେ ସଫଳ ହୋଇଥାଏ। ଭାରତରେ ଧୀରେ ସୁସ୍ଥେ ଟୋଟାଲ ଗୁଡ୍ସ ତିଆରି କରିବାରେ କମ୍ପାନୀଗୁଡ଼ିକ ଶ୍ରମ ଓ ଅର୍ଥ ଖଟାଉଥିବାରୁ ଚାଇନା ତୁଳନାରେ ସଫଳତା ମିଳିପାରୁ ନାହିଁ।
କଥାରେ କହିଦେଲେ ଦେଶରେ ଉତ୍ପାଦ ପ୍ରଚୁର ପରିମାଣରେ ହୋଇପାରିବ ନାହିଁ। କମ୍ପାନୀ ଟିକସ କମାଇ ଦେଲେ ସଂସ୍ଥା ଅଧିକ ଲାଭବାନ ହୋଇଯିବ ଭାବିବା ଭୁଲ୍। କାରଣ ଉତ୍ପାଦ ସୃଷ୍ଟି କରିବା ଲାଗି ବହୁ ଯୋଗ୍ୟ କମ୍ପାନୀ ଥିବା ବେଳେ ସରକାରଙ୍କ ପୋଷା ସଂସ୍ଥା ଜମି, ଜଙ୍ଗଲ, ଖଣି, ପାଣି ସବୁ ହାତେଇ ନେଉଛନ୍ତି। ଚାଇନାରେ କ୍ଷୁଦ୍ର ଓ ମଧ୍ୟମ ସଂସ୍ଥାଗୁଡ଼ିକୁ ଗୁରୁତ୍ୱ ଦିଆଯାଉଥିବାରୁ ସେଥିରେ ନିଯୁକ୍ତି ବୃଦ୍ଧି ପାଇବା ସହ ପର୍ଯ୍ୟାପ୍ତ ଉତ୍ପାଦ ବଜାରକୁ ଆସିପାରୁଛି।
ବର୍ତ୍ତମାନର ସରକାର ଆଦାନୀ, ଟାଟା ଭଳି ବିତ୍ତଶାଳୀ ଓ ବିରାଟ ବ୍ୟବସାୟୀଙ୍କ ସ୍ବାର୍ଥରେ ରହିଛି ବୋଲି ଆଲୋଚନା ହେଉଛି। କେତେ ଜଣ ରାଜନେତା ବାରମ୍ବାର କହିଆସୁଛନ୍ତି ଯେ, ଭାରତରେ ବିରୋଧୀ ଦଳଗୁଡ଼ିକର କାର୍ଯ୍ୟକୁ ବିଦେଶରୁ ପାଣ୍ଠି ମିଳୁଛି। ପ୍ରଧାନମନ୍ତ୍ରୀ ମୋଦିଙ୍କର ଭାଷଣ ଶୁଣିଲେ ସ୍ପଷ୍ଟ ବୁଝାଯାଉଛି ଯେ, ସମ୍ଭବତଃ ସରକାର ଏବେ ଅବଗତ ହେଲେଣି ଯେ, ବିଦେଶୀ ପାଣ୍ଠି ପରିବର୍ତ୍ତେ ଭାରତରେ ଶିଳ୍ପପତି ଓ ବ୍ୟବସାୟୀମାନେ ତ୍ରାହି ତ୍ରାହି ଡାକି ଅଣଶାସକ ଦଳଗୁଡ଼ିକୁ ଯଥେଷ୍ଟ ଅର୍ଥ ଯୋଗାଇପାରୁଛନ୍ତି। କାରଣ ସମସ୍ତେ ଏବେ ବ୍ୟବସ୍ଥାରେ ପରିବର୍ତ୍ତନ ଚାହିଁଲେଣି। ଯଦି ବାସ୍ତବରେ ଦେଶର ଶିଳ୍ପଜଗତର ଅଭିବୃଦ୍ଧି ସହ ଲୋକଙ୍କ ମଙ୍ଗଳକୁ ସରକାର ଗୁରୁତ୍ୱ ଦେବାକୁ ଚାହାନ୍ତି, ତେବେ କେନ୍ଦ୍ରୀୟ ଆର୍ଥିକ ଓ ଶିଳ୍ପନୀତିରେ ପରିବର୍ତ୍ତନ ଆଣିବା ଦରକାର। ଶିଳ୍ପ ସ୍ଥାପନ ଅତି ସହଜ ସହିତ ସରକାରୀ କବଳରୁ ମୁକ୍ତ ହେବା ଦରକାର। କଥାରେ କୁହାଯାଉଥିଲା ‘ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ’। କିନ୍ତୁ କାର୍ଯ୍ୟରେ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ମଧ୍ୟରେ ତାହାର ପ୍ରତିଫଳନ ଦେଖିବାକୁ ମିଳିନାହିଁ। ତେଣୁ ଏଭଳି ସ୍ଥଳେ ସରକାରୀ ନୀତି ପାତରଅନ୍ତର ରହିତ ହେବା ବାଞ୍ଛନୀୟ।