କଣ୍ଠଶିଳ୍ପୀଙ୍କ ଦସ୍ତଖତ ନେଇ ବ୍ଲାକ୍‌ମେଲିଂ

ଭୁବନେଶ୍ୱର,୨୪ା୫(ବ୍ୟୁରୋ):ସଙ୍ଗୀତ ପ୍ରମୋଟ ପାଇଁ ଚୁକ୍ତି କରିବାକୁ ଦସ୍ତଖତ ନେଲେ। ହେଲେ କୋର୍ଟ ବିବାହ କରିଥିବା କହି ଧମକ ଦେଲେ। ଯୁବତୀଙ୍କ ଏଭଳି ଚଞ୍ଚକତାରେ ଜଣେ ୟୁଟୁବ୍‌ କଣ୍ଠଶିଳ୍ପୀ ପୁରୀର ଅଙ୍କିତ ମିଶ୍ର ଫସିଯାଇଛନ୍ତି। ଶେଷରେ ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ କରିବା ପରେ ପୋଲିସ ବାଲେଶ୍ୱରର ଜଣେ ଯୁବତୀଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଅଭିଯାଗ ଅନୁସାରେ, ଅଙ୍କିତ ବାଙ୍ଗାଲାରରେ ଏମ୍‌ବିଏ ପଢୁଥିଲେ। ଗତବର୍ଷ କୋଭିଡ଼ ପାଇଁ ଲକଡାଉନ୍‌ ହୋଇଯିବାରୁ ସେ ଘରକୁ ଆସି ରହୁଥିଲେ। ଭଲ ଗୀତ ଗାଉଥିବାରୁ ସେ ତାଙ୍କର ଏକ ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲି ନିଜ ଗୀତଗୁଡ଼ିକ ଅପଲୋଡ୍‌ କରନ୍ତି। ପୁରୀରେ ଘର ଭଡ଼ା ନେଇ ରହୁଥିବା ବାଲେଶ୍ୱରର ଜଣେ ଯୁବତୀ ତାଙ୍କ ଗୀତକୁ ପ୍ରଶଂସା କରିବା ଫେସ୍‌ବୁକରେ ମେସେଜ୍‌ କରିଥିଲେ। ତାଙ୍କର ଷ୍ଟୁଡ଼ିଓ ଥିବାରୁ ଗୀତ ରେକର୍ଡିଂ କରିବାକୁ ସେ ଅଙ୍କିତଙ୍କୁ ପ୍ରସ୍ତାବ ଦେଇଥିଲେ। ଗତବର୍ଷ ନଭେମ୍ବର ୧ରେ ଅଙ୍କିତ ଯୁବତୀଙ୍କ ଘରକୁ ଯାଇ ତାଙ୍କ ଷ୍ଟୁଡ଼ିଓରେ ଗୀତ ଗାଇଥିଲେ। ଏହା ଭିତରେ ସମ୍ପର୍କକୁ ଆଗକୁ ବଢ଼ାଇଥିବା ଯୁବତୀଙ୍କ ଚାଲ୍‌କୁ ଅଙ୍କିତ ବୁଝି ପାରି ନ ଥିଲେ। ଗୀତ ପ୍ରମୋଟ ପାଇଁ ଏକ ଚୁକ୍ତି କରିବାକୁ ପଡ଼ିବ ବୋଲି ଯୁବତୀ ଜଣକ କହିବା ସହ ଗତ ମାର୍ଚ୍ଚ ୧୧ରେ ଭୁବନେଶ୍ୱର କୋର୍ଟକୁ ଡାକିଥିଲେ। ସେଠାରେ ଯୁବତୀ ଜଣକ କିଛି କାଗଜରେ ଅଙ୍କିତଙ୍କ ଦସ୍ତଖତ କରି ନେଇଥିଲେ। ଏହାର କିଛିଦିନ ପରେ ଯୁବତୀ ଜଣକ ଅଙ୍କିତଙ୍କୁ ବିବାହ କରିଥିବା କହି ତାଙ୍କ ଘରକୁ ନେବାକୁ ଜିଦ୍‌ ଧରିଥିଲେ। ଅଙ୍କିତ ଏଭଳି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯିବା ସହ ପରିବାର ଲୋକଙ୍କୁ ଜଣାଇ ସବ୍‌ ରେଜିଷ୍ଟାର ଅଫିସକୁ ଯାଇ କାଗଜପତ୍ର ଯାଞ୍ଚ କରିବା ପରେ ଚଞ୍ଚକତା କରି ଯୁବତୀ ଜଣକ ତାଙ୍କୁ କୋର୍ଟ ବିବାହ କରିଥିବା ଜାଣିବାକୁ ପାଇଥିଲେ। ବିବାହ ନୋଟିସ ଫର୍ମ, ବ୍ୟାଙ୍କ୍‌ ଷ୍ଟାମ୍ପ ପେପର ଉପରେ ଚଞ୍ଚକତା କରି ଦସ୍ତଖତ କରି ନେଇଥିବା ଜଣାପଡିଥିଲା। ଅଙ୍କିତ ଭୁବନେଶ୍ୱରରେ ଭଡ଼ାରେ ରହୁଥିବା ଦର୍ଶାଯାଇଛି। ତେବେ ଅଙ୍କିତ କହିଛନ୍ତି ସେ କେବେ ଭୁବନେଶ୍ୱରରେ ରହିନାହାନ୍ତି। ଏହି ବିବାହକୁ ମନା କରିବାରୁ ଯୁବତୀ ଜଣକ ତାଙ୍କୁ ହତ୍ୟା ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି।