ବ୍ଲାକ୍‌ଫଙ୍ଗସ୍‌ ରୋଗୀ ସାଇବର ଠକେଇର ଶିକାର

ଭୁବନେଶ୍ୱର,୩ା୭ (ବ୍ୟୁରୋ): ଅନ୍‌ଲାଇନରେ ଇଞ୍ଜେକ୍ସନ ଅର୍ଡର ଦେଇ ଠକେଇର ଶିକାର ହୋଇଛନ୍ତି ଜଣେ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ। ଇଞ୍ଜେକ୍ସନ ଦେବା ନଁାରେ ତାଙ୍କଠାରୁ ୪୮ହଜାର ଟଙ୍କା ଲୁଟିନେଇଛନ୍ତି ସାଇବର ଠକ। ବ୍ଲାକ୍‌ଫଙ୍ଗସ୍‌ ଚିକିତ୍ସାରେ ଆବଶ୍ୟକ ଇଞ୍ଜେକ୍ସନ ଅଭାବ ଦେଖା ଦେଇଥିବାବେଳେ ଏହାର ସୁଯୋଗ ନେଇ ସାଇବର ଠକମାନେ ଠକେଇର ନୂଆ ପନ୍ଥାକୁ ଆପଣାଇଛନ୍ତି। ତେଣୁ ଏ ଦିଗରେ ସରକାର ପଦକ୍ଷେପ ନେବାକୁ ରୋଗୀଙ୍କ ସମ୍ପର୍କୀୟ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ଜଗତ୍‌ସିଂହପୁର ଜିଲାର ଅଜୟ ଭୂୟଁା(୪୮) କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍‌ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିଛି ଦିନର ଚିକିତ୍ସା ପରେ ଅଜୟ ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଘରକୁ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଘରକୁ ଯିବାପରେ ଅଜୟଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣି ଥରେ ବିଗିଡ଼ିଥିଲା। ସିଟିସ୍କାନ୍‌ରୁ ତାଙ୍କୁ ବ୍ଲାକ୍‌ଫଙ୍ଗସ୍‌ ହୋଇଥିବା ଜଣାପଡ଼ିଥିଲା। ଚିକିତ୍ସା ପାଇଁ ତାଙ୍କୁ ପୁଣିଥରେ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ତେବେ ବ୍ଲାକ୍‌ଫଙ୍ଗସ୍‌ ରୋଗୀଙ୍କୁ ଦିଆଯାଉଥିବା ‘ଲାଇପୋଜୋମାଲ ଆମ୍ଫୋଟେରିସିନ୍‌-ବି ’ଇଞ୍ଜେକ୍ସନ ବଜାରରେ ମିଳି ନ ଥିଲା। ଏହା ଅନ୍‌ଲାଇନ୍‌ରେ ମିଳୁଥିବା ଜଣେ ନର୍ସଙ୍କଠାରୁ ତାଙ୍କ ସ୍ତ୍ରୀ ସୁଜାତା ଜାଣିବାକୁ ପାଇଥିଲେ। ଏହାପରେ ସେ ଅନ୍‌ଲାଇନ୍‌ରେ ସର୍ଚ୍ଚ କରି ତାମିଲନାଡୁର ନେକ୍ସଜେନ୍‌ମେଡ୍‌ ଫାର୍ମାସୀ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ସଂସ୍ଥାରୁ ଏହି ଇଞ୍ଜେକ୍ସନ ଅର୍ଡର କରିଥିଲେ। ଏଥିପାଇଁ ରୋଗୀଙ୍କ ସମ୍ପର୍କୀୟ ୪୮ ହଜାର ଟଙ୍କା ଅନଲାଇନ୍‌ରେ ପୈଠ କରିଥିଲେ। ଟଙ୍କା ନେବା ପରେ ସଂସ୍ଥା ପକ୍ଷରୁ ଇଞ୍ଜେକ୍ସନ ପ୍ରଦାନ କରାଯାଇ ନ ଥିଲା। ଓ୍ବେବ୍‌ସାଇଟ୍‌ରେ ଦିଆଯାଇଥିବା ମୋବାଇଲ ନମ୍ବର ମଧ୍ୟ ବନ୍ଦ ହୋଇଯାଇଥିଲା। ଏହାପରେ ଠକେଇର ଶିକାର ହୋଇଥିବା ସୁଜାତା ଜାଣିବାକୁ ପାଇଥିଲେ।