ଆରୁହା ପାହାଡ଼ରୁ କଳାପଥର ଚୋରି: ଚେତିଲା ପୋଲିସ ପ୍ରଶାସନ

ଯାଜପୁର ଅଫିସ/ଧର୍ମଶାଳା (ଡି.ଏନ.ଏ.),୨୩ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଆରୁହା ପାହାଡ଼ରେ ପୋଲିସ ପକ୍ଷରୁ ଶନିବାର ଚଢାଉ ହୋଇଛି। କଳାପଥର ଚୋରିରେ ନିୟୋଜିତ ୧୧ ଟିପ୍ପର, ଟ୍ରକ, ଟ୍ରାକ୍ଟର ଓ ହିଟାଚି ମେଶିନକୁ ପୋଲିସ ଜବତ କରିଛି। ଏହାସହ ୧୫ ଜଣ ଶ୍ରମିକଙ୍କୁ ଅଟକ ରଖାଯାଇଛି । ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପ୍ରକୃତ ମାଲିକଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଦୀର୍ଘଦିନ ପରେ ପୋଲିସର ଏପରି ଚଢ଼ାଉକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରିନାହାନ୍ତି । ଗତ ୪ ବର୍ଷ ମଧ୍ୟରେ ଆରୁହା ପାହାଡରୁ ହୋଇଥିବା ଖନନ ଓ କଳାପଥର ଚୋରିର ନିରପେକ୍ଷ ମାପଚୁପ କରାଯାଇ ଲିଜ୍‌ଧାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

ଆରୁହା ପାହାଡ଼ର ୩ ଏକର ଜମିରୁ କଳା ପଥର ଉତ୍ତୋଳନ କରିବାକୁ ଅନୁମତି ମିଳିଥିଲା। ହେଲେ ୧୦୦ରୁ ଊର୍ଦ୍ଧ୍ୱ ଏକର ଅଞ୍ଚଳରୁ ବେଆଇନ ପଥର ଖନନ ଚାଲିଥିଲା। ଏନେଇ ଲୋକାୟୁକ୍ତରେ ୧୩୫୫/୨୦୨୦ରେ ଏକ ମାମଲା ରୁଜୁ ହୋଇଥିବାବେଳେ ପୂର୍ବରୁ ଜିଲା ପ୍ରଶାସନକୁ ଜବାବ ତଲବ ହୋଇଛି। ୧ା୯ା୨୦୧୭ରେ ଆରୁହା କଳାପଥର ଖାଦାନ-୧ ଲିଜ୍‌ ପାଇଁ ଧର୍ମଶାଳା ତହସିଲ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଓଏମ୍‌ଏମ୍‌ସି ନିୟମ-୨୦୧୬ ଅନୁସାରେ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତ୍ରିନାଥ ଜେନାଙ୍କୁ ୫ ବର୍ଷ(୨୦୧୭-୧୮ ରୁ ୨୦୨୧-୨୨) ପର୍ଯ୍ୟନ୍ତ ଲିଜ୍‌ ପ୍ରଦାନ କରାଯାଇଛି। ଜମି ରେକର୍ଡ ଅନୁସାରେ ଆରୁହା ପାହାଡରେ ୧୫୩.୬୩୦ ଏକର କଳାପଥର ଖାଦାନ ରହିଛି। ସେଥିରୁ ମାତ୍ର ୩ ଏକର ଖାଦାନ ଲିଜ ଦିଆଯାଇଥିବାବେଳେ ଚଞ୍ଚକତା କରି ପ୍ରାୟ ୧୦୦ ଏକର ପର୍ଯ୍ୟନ୍ତ କଳାପଥର ବେଆଇନ ଭାବେ ଉତ୍ତୋଳନ କରାଯାଉଛି। ଏହାସହ ଲିଜ୍‌ ଅନୁମତି ପରିମାଣଠାରୁ ଶତାଧିକ ଗୁଣ ଅଧିକ କଳାପଥର ଲୁଟ ହୋଇଛି। ଡଙ୍କାରୀ ଭଳି ଖଣି ବିଭାଗର ବିଶେଷଜ୍ଞ ଦଳ ମାପଚୁପ କଲେ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କଳାପଥର ଉତ୍ତୋଳନ ହୋଇଥିବା ଜଣାପଡିବ ବୋଲି ଆବେଦନକାରୀ ସର୍ବେଶ୍ୱର ବେହୁରା କହିଛନ୍ତି। ଏହାବାଦ୍‌ ଗତ ଟେଣ୍ଡର ପ୍ରକ୍ରିୟାରେ ଆରୁହା ପାହାଡକୁ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଲିଜ୍‌ ଦେବାକୁ ଉଦ୍ୟମ ହୋଇଥିଲା ବୋଲି ବେହୁରା ଅଭିଯୋଗ କରିଛନ୍ତି।