ଜଙ୍ଗଲ ନିଆଁରେ ଆକ୍ତାମାକ୍ତା

ଅନୁଗୋଳ ଅଫିସ, ୩: ବନାଗ୍ନି କବଳରେ ରାଜ୍ୟର ଅଧିକାଂଶ ଜଙ୍ଗଲ। ହୁ ହୁ ହୋଇ ଜଳୁଛି ଗଛଲତା। ଜଙ୍ଗଲ ନିଆଁ ପରିବେଶ ପ୍ରତି ବିପଦ ସୃଷ୍ଟି କରିଥିବାବେଳେ ଏଥିରୁ ନିର୍ଗତ ଧୂଆଁ ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି। ଜଙ୍ଗଲ ନିଆଁ ପାଇଁ ଅନୁଗୋଳ ସହରବାସୀ ରବିବାର ସକାଳୁ ଦୀର୍ଘ ୬ଘଣ୍ଟା ଧରି ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ସାରା ସହରରେ କଳାଧୂଆଁର ଆସ୍ତରଣ ଖେଳିଯାଇଥିବାବେଳେ ଏହାକୁ ନେଇ ଅକଳରେ ପଡ଼ିଥିଲେ ଜନସାଧାରଣ।
ପ୍ରଦୂଷଣକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଛି ଶିଳ୍ପ ଜିଲା ଅନୁଗୋଳ। ତେବେ ରବିବାରର ପରିସ୍ଥିତି ଥିଲା ଅଲଗା। ସକାଳୁ ସାରା ସହରକୁ ନିଜ ଆୟତ୍ତକୁ ନେଇ ସାରିଥିଲା ଧୂଆଁ। ଖରା ଟାଣ ହେବା ପରେ ମଧ୍ୟାହ୍ନରେ ପାଗ ସ୍ବାଭାବିକ ହୋଇଥିଲା। ତେବେ ଅପରାହ୍ନ ପରେ ପୁନରାବୃତ୍ତି ହୋଇଥିଲା ସକାଳର ସ୍ଥିତି। ଅନୁଗୋଳ ବନଖଣ୍ଡ, ସାତକୋଶିଆ ବନଖଣ୍ଡ ଏବଂ ଆଠମଲ୍ଲିକ ବନଖଣ୍ଡରେ ଲାଗିଥିବା ନିଆଁ ଏବଂ ଏଥିରୁ ସୃଷ୍ଟି ଧୂଆଁ ଯୋଗୁ ଏଭଳି ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ନିଆଁକୁ ଆୟତ୍ତ କରିବାରେ ବନ ବିଭାଗ ଫେଲ୍ମାରିଥିବାବେଳେ ସ୍ଥାନୀୟ ଲୋକେ ଏବେ ଭୟଙ୍କର ପ୍ରଦୂଷଣର ଶିକାର ହେଉଥିବା ପରିଲକ୍ଷିତ ହୋଇଛି। ଅନ୍ୟପଟେ ପ୍ରତିଦିନ ସକାଳେ ହେଉଥିବା କୁହୁଡ଼ି ଯୋଗୁ ପରିସ୍ଥିତି ଜଟିଳ ହେବାରେ ଲାଗିଛି।
ରବିବାର ସୃଷ୍ଟି ହୋଇଥିବା ଧୂଆଁମୟ ପରିବେଶର ପ୍ରଭାବ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପଡ଼ିଛି। ଶ୍ୱାସ ରୋଗରେ ପୀଡ଼ିତ ଲୋକମାନେ ବିଶେଷ ଭାବେ ସମସ୍ୟାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି। ସେହିପରି ଆଖି ପୋଡ଼ିବା ଯୋଗୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ପ୍ରଥମେ ଶିଳ୍ପାନୁଷ୍ଠାନର ପ୍ରଦୂଷିତ ଧୂଆଁରୁ ଏଭଳି ସ୍ଥିତି ଉପୁଜିଥିବା ଲୋକମାନେ ଅନୁମାନ କରିଥିଲେ। ହେଲେ ପରେ ଏହାର କାରଣ ସ୍ପଷ୍ଟ ହୋଇଥିଲା। ରନ୍ତଲେଇ ନିକଟ ମନ୍ଦରଗିରି ପାହାଡ଼ ପଛପାର୍ଶ୍ୱରୁ ଧୂଆଁ ସହରକୁ ମାଡ଼ିଯାଇଥିବା ଜଣାପଡ଼ିଥିଲା। ବନ ବିଭାଗର ଜଙ୍ଗଲ ନିଆଁକୁ ହାଲୁକାରେ ନେଉଛି। ଏହାକୁ ଆୟତ୍ତ କରା ଗଲେ ଜିଲାର ଜୈବ ବିବିଧତା ଉପରେ ଏହାର ପ୍ରଭାବ ପଡ଼ିବ ଏବଂ ଏଥିପାଇଁ ଜିଲାବାସୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ପରିବେଶବିତ୍ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଘଟଣା ସମ୍ପର୍କରେ ଅନୁଗୋଳ ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ଅଧିକାରୀ ଅନୁପ ମଲ୍ଲିକ କହିଛନ୍ତି, ଅନୁଗୋଳ ଏକ ଆବଦ୍ଧ ଅଞ୍ଚଳ। ତେଣୁ ଧୂଆଁ ମୁକ୍ତ ହୋଇ ବାୟୁ ଚଳାଚଳରେ କଷ୍ଟ ହେଉଛି। ବନାଗ୍ନି ଫଳରେ ନିର୍ଗତ ଧୂଆଁ ଏବଂ କୁହୁଡ଼ିଆ ପାଗ ପାଇଁ ଏହା ସ୍ମଗ୍ରୂପ ନେଇଛି। ପାଗ ବଦଳିଲେ ଅବସ୍ଥା ସୁଧୁରିଯିବ ବୋଲି ସେ କହିଛନ୍ତି। ସମ୍ପର୍କରେ ବନ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ମତାମତ ମିଳିପାରିନାହିଁ