ଜେମ୍ସ ୱେବ୍‌ ଟେଲିସ୍କୋପ୍‌ରେ ଧରାପଡ଼ିଲା ‘ବ୍ଲାକ୍‌ ହୋଲ୍‌ ଷ୍ଟାର୍‌’

ଓ୍ବାଶିଂଟନ,୧୪।୮: ମହାକାଶ ବିଜ୍ଞାନ କ୍ଷେତ୍ରରେ ବିରଳ ସଫଳତା ହାସଲ କରିଛନ୍ତି ଜ୍ୟୋତିର୍ବିଜ୍ଞାନୀ। ନାସାର ପ୍ରସିଦ୍ଧ ଜେମ୍ସ ୱେବ୍‌ ସ୍ପେସ୍‌ ଟେଲିସ୍କୋପର ଚିତ୍ରକୁ ଅନୁଧ୍ୟାନ କରି ଗବେଷକମାନେ ସମ୍ପୂର୍ଣ୍ଣ ନୂଆ ପ୍ରକାରର ମହାଜାଗତିକ ପିଣ୍ଡର ଆବିଷ୍କାର କରିଛନ୍ତି, ଯାହାକୁ ‘ବ୍ଲାକ୍‌ ହୋଲ୍‌ ଷ୍ଟାର୍‌’ଆଖ୍ୟା ଦିଆଯାଇଛି। ଏହି ବିଶାଳ ପିଣ୍ଡଟିର ଆକାର ଆମର ସମ୍ପୂର୍ଣ୍ଣ ସୌରମଣ୍ଡଳ ସହ ସମାନ ଏବଂ ଏହା ଅତି ଗାଢ଼ ଲାଲ ରଙ୍ଗର ଉଜ୍ଜ୍ୱଳ ଆଲୋକ ବିକିରଣ କରୁଛି।
ବିଶ୍ୱର ସବୁଠାରୁ ଦୂରବର୍ତ୍ତୀ ଗାଲାକ୍ସିଗୁଡ଼ିକର ସନ୍ଧାନ କରୁଥିବା ସମୟରେ ମାସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏମ୍‌ଆଇଟି) ଏବଂ ହାୱାଇ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଡ. ରୋହନ ନାଇଡୁଙ୍କ ନେତୃତ୍ୱରେ ଏକ ଅନ୍ତର୍ଜାତୀୟ ଦଳ ‘ସେଟସ୍‌’ ନକ୍ଷତ୍ରମଣ୍ଡଳରେ ଏହି ଗୁପ୍ତ ଲାଲ ବିନ୍ଦୁକୁ ଠାବ କରିଥିଲେ। ମହାଜାଗତିକ ମହାବିସ୍ଫୋରଣ (ବିଗ୍‌ ବ୍ୟାଙ୍ଗ୍‌)ର ୬୬୦ ନିୟୁତ ବର୍ଷ ପରେ ଏହି ପିଣ୍ଡଟି ଗଠିତ ହୋଇଥିବା କମ୍ପ୍ୟୁଟର ସିମୁଲେଶନ୍‌ରୁ ଜଣାପଡ଼ିଛି। ଏହା ଦେଖିବାକୁ ଏକ ବିଶାଳ ନକ୍ଷତ୍ର/ତାରା ଭଳି ହୋଇଥିଲେ ସୁଦ୍ଧା, ଏଥିରୁ ସାଧାରଣ ନକ୍ଷତ୍ର ତୁଳନାରେ ୧୦୦ ବିଲିୟନ (୧୦ ହଜାର କୋଟି) ଗୁଣ ଅଧିକ ଶକ୍ତି ନିର୍ଗତ ହେଉଛି।

ଏହାର ଶକ୍ତି ନିର୍ଗମନ ସାଧାରଣ ତାରା ଅପେକ୍ଷା ଏକ ସକ୍ରିୟ ‘ବ୍ଲାକ୍‌ ହୋଲ୍‌’ (କୃଷ୍ଣଗର୍ତ୍ତ) ସହ ସମାନ। ଏହି ତାରାର କେନ୍ଦ୍ରରେ ଥିବା ବିଶାଳ ବ୍ଲାକ୍‌ ହୋଲ୍‌ ଗାଢ଼ ଓ ଘନ ଗ୍ୟାସ୍‌ର ଆସ୍ତରଣ ମଧ୍ୟରେ ଏପରି ଆବୃତ ହୋଇରହିଛି ଯେ, ଏହା ବାହାରକୁ ଏକ ବିଶାଳ ଉଜ୍ଜ୍ୱଳ ତାରା ଭଳି ଦୃଶ୍ୟମାନ ହେଉଛି।
ମହାକାଶ ବିଜ୍ଞାନ ପାଇଁ ଏହି ବ୍ଲାକ୍‌ ହୋଲ୍‌ ଷ୍ଟାର୍‌ର ଗୁରୁତ୍ୱ ଦେଖିଲେ, ଜେମ୍ସ ୱେବ୍‌ ଟେଲିସ୍କୋପ୍‌ର ମହାକାଶ ଚିତ୍ରଗୁଡ଼ିକରେ ଦୃଶ୍ୟମାନ ହେଉଥିବା ଅସଂଖ୍ୟ ରହସ୍ୟମୟ ଛୋଟ ଛୋଟ ଲାଲ ବିନ୍ଦୁଗୁଡ଼ିକ (ଏଲ୍‌ଆର୍‌ଡିଏସ୍‌) ସାଧାରଣ ଗାଲାକ୍ସି ନୁହନ୍ତି, ବରଂ ‘ବ୍ଲାକ୍‌ ହୋଲ୍‌ ଷ୍ଟାର୍‌’ ହୋଇଥାଇପାରନ୍ତି ବୋଲି ଏହି ନୂତନ ଆବିଷ୍କାର ପ୍ରମାଣିତ କରିବା ସହ ଦୀର୍ଘଦିନର ସନ୍ଦେହ ଦୂର କରିପାରିଛି। ଏହାସହ ଆମ ଗାଲାକ୍ସି (ମିଲ୍କି ୱେ) ଭଳି ବିଶାଳ ସୃଷ୍ଟିଗୁଡ଼ିକର କେନ୍ଦ୍ରରେ ଥିବା ସୁପରମାସିଭ ବ୍ଲାକ୍‌ ହୋଲ୍‌ଗୁଡ଼ିକ ପ୍ରାରମ୍ଭିକ ମହାକାଶରେ କିପରି ଏତେ ଶୀଘ୍ର ଗଠିତ ହୋଇଥିଲେ, ସେହି ରହସ୍ୟର ‘ପ୍ରାରମ୍ଭିକ ବୀଜ’ ଭାବେ ଏହି ବ୍ଲାକ୍‌ ହୋଲ୍‌ ଷ୍ଟାର୍‌ଗୁଡ଼ିକ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ବ୍ଲାକ୍‌ ହୋଲ୍‌ଗୁଡ଼ିକ ଗାଲାକ୍ସି ମଧ୍ୟରେ ନୂତନ ନକ୍ଷତ୍ର ସୃଷ୍ଟି ପ୍ରକ୍ରିୟାକୁ ସୁହାଉଥିବାରୁ, ଏହି ନୂତନ ମହାଜାଗତିକ ପିଣ୍ଡର ସନ୍ଧାନ ମହାକାଶରେ ଗ୍ରହ, ନକ୍ଷତ୍ର ଏବଂ ପରବର୍ତ୍ତୀ ସମୟରେ ଜୀବସତ୍ତା ସୃଷ୍ଟିର ପ୍ରାରମ୍ଭିକ ଇତିହାସ ଓ ବିକାଶକୁ ବୁଝିବାରେ ଏକ ବୈପ୍ଳବିକ ଦିଗ ପ୍ରଦାନ କରିବ।

 

Dharitri – Odisha’s No.1 Odia Daily

Share