ଓଡ଼ିଶା ବନ୍ଦକୁ ନେଇ ଭାଜପାର କଟାକ୍ଷ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି, ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ କଂଗ୍ରେସ ଦଳ ପାଇଁ ପ୍ରସଙ୍ଗ ନୁହେଁ। ରାଜ୍ୟରେ ଭୋଟ୍‌ ପ୍ରତିଶତ କମିବା ଏବଂ ଦଳର ଅନ୍ତକନ୍ଦଳ ହାଟରେ ପଡି ଦାଣ୍ଡରେ ଗଡିବା କଂଗ୍ରେସର ମୁଣ୍ଡ ବ୍ୟଥାର କାରଣ ହୋଇଛି। ବନ୍ଦର କୌଣସି ପ୍ରଭାବ ନାହିଁ। ତେଲ ଦର ବୃଦ୍ଧି ପରିବହନ ଏବଂ ବିଶୋଧନ ଉପରେ ନିର୍ଭର କରେ। କେନ୍ଦ୍ର ନେଉଥିବା ଟିକସ ଜନକଲ୍ୟାଣ କାର୍ଯ୍ୟରେ ଲାଗୁଛି ସୁଇସ୍‌ ବ୍ୟାଙ୍କ ଯାଉନାହିଁ। ବନ୍ଦର ପ୍ରଚ୍ଛଦପଟ୍ଟରେ ବିଜେଡି ରହିଛି ବୋଲି ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।
ଖବରଦାତା ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି, ଦଳର ଅସ୍ତିତ୍ୱକୁ ବଞ୍ଚାଇବା ପାଇଁ ଏହି ବନ୍ଦ ଡାକରା ଦିଆଯାଇଛି। ଅଶୋଧିତ ତୈଳର ମୂଲ୍ୟ ଅନ୍ତରାଷ୍ଟ୍ରୀୟ ବଜାରରେ ଯେତିକି କମିଲା ସେତିକି ମୂଲ୍ୟ ଖାଉଟିମାନଙ୍କ ପାଇଁ କମ୍‌ କରିବାର ଦାବି ସମ୍ପୂର୍ଣ୍ଣ ଅମୂଳକ। ପେଟ୍ରୋଲ, ଡିଜେଲର ମୂଲ୍ୟ ନେଇ ୩ଟି କାରଣ ରହିଛି। ପ୍ରଥମଟି ହେଲା ଅଶୋଧିତ ତୈଳର ମୂଲ୍ୟ, ପରିବହନ ଓ ବିଶୋଧନ। ଯଦିଓ ଅଶୋଧିତ ତୈଳର ମୂଲ୍ୟ ଆନ୍ତର୍ଜାତିକ ବଜାରରେ କମିଛି ତେବେ ପରିବହନ ଓ ବିଶୋଧନ ମୂଲ୍ୟ ହ୍ରାସ ପାଇନାହିଁ। ତେଣୁ ଅଶୋଧିତ ତୈଳର ମୂଲ୍ୟ ଯେତିକି କମିଲା ସେତିକି ପେଟ୍ରୋଲ ଓ ଡିଜେଲର ମୂଲ୍ୟ କମିବା ତଥ୍ୟଭିତିକ ନୁହେଁ ବୋଲି ଲେଖାଶ୍ରୀ କହିଛନ୍ତି।
ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ଓ଼ଡିଶା ବନ୍ଦକୁ ଯଦିଓ ସମର୍ଥନ କରୁନାହୁଁ ତଥାପି ଏହାର ଉଦ୍ଦେଶ୍ୟକୁ ସମର୍ଥନ ଦେଉଛୁ। କାରଣ ଏହାର ପ୍ରଭାବ ପ୍ରତ୍ୟକ୍ଷରେ ନ ହେଲେ ମଧ୍ୟ ପରୋକ୍ଷରେ ସାଧାରଣ ଲୋକ, ଗରିବ, ଚାଷୀଙ୍କ ଉପରେ ପଡୁଛି। ରାଜ୍ୟ ସରକାର ନେଉଥିବା ଭାଟ୍‌ ମଧ୍ୟ ରାଜ୍ୟ ସରକାର ଜନକଲ୍ୟାଣକାରୀ କାର୍ଯ୍ୟରେ ଲାଗୁଥିବା ବିଷୟରେ ମଧ୍ୟ ସେମାନେ ଜାଣିବା ଦରକାର। ପେଟ୍ରୋଲ, ଡିଜେଲ ଯେଉଁଭଳି ଲୁଚକାଳୀ ଖେଳିଲା ଭଳି କମୁଛି, ବଢୁଛି ତାହା ସାଧାରଣ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କଲାଣି।