ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ୧୬ ଜଣ ବରିଷ୍ଠ ନେତାଙ୍କୁ ଉପାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ବସୁନ୍ଧରା ରାଜେ ସିନ୍ଧିଆ, ତିରଥ ସିଂ ରାୱତ, ରାମ ମାଧବ, ଡି ପୁରନ୍ଦେଶ୍ୱରୀ, ରେଖା ଭର୍ମା, ଭାରସାବନ ନରେନ୍ଦ୍ରଭାଇ ଦୋଶୀ, ଭାରତୀ ପ୍ରବୀଣ ପାୱାର, ମନପ୍ରୀତ ସିଂ ବାଦଲ, ଲାଲ ସିଂ ଆର୍ଯ୍ୟ, ପ୍ରଫେସର ଏମ ନାଗରାଜ, ପ୍ରଫେସର ତରିକ ମଞ୍ଚଚୋରଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି। ଓଡ଼ିଶାରୁ ୨ ଜଣଙ୍କୁ ନୀତିନ ନବୀନଙ୍କ ଟିମରେ ସ୍ଥାନ ମିଳିଛି। ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ବୈଜୟନ୍ତ ପଣ୍ଡାଙ୍କୁ ପୁନଃ ଦାୟିତ୍ୱ ଦିଆଯାଇଛି। ସେହିପରି ନର୍ଥ ଇଷ୍ଟର ସଂଯୋଜକ ଭାବେ ସମ୍ବିତ ପାତ୍ରଙ୍କୁ ନିଯୁକ୍ତ କରାଯାଇଛି।
ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ ମହସ୍କେଙ୍କୁ ଭାଜପା ଆଇଟି ସେଲ୍ର ଜାତୀୟ ସଂଯୋଜକ ଦାୟିତ୍ୱ ଦିଆଯାଇଛି। ଦଳର ନୂଆ ଜାତୀୟ ଟିମରେ ସ୍ଥାନ ନମିଳିବା ପରେ ଅମିତ ମାଲବ୍ୟଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ ଦୀପକ ମହସ୍କେଙ୍କ ସମେତ ଭାଜପାର ସମସ୍ତ ନୂଆ ପଦାଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ,ଭାଜପାର ନୂଆ ଟିମର ଘୋଷଣା ଏପରି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ହୋଇଛି, ଯେତେବେଳେ ଦଳ ନୂଆ ଉଚ୍ଚତା ଛୁଇଁବା ସହ ନିଜର ବାର୍ତ୍ତା ଏବଂ ସଂଗଠନକୁ ଦେଶର ପ୍ରତ୍ୟେକ କୋଣରେ ପହଞ୍ଚାଇବା ପାଇଁ ପ୍ରସ୍ତୁତି କରୁଛି।
ଅମିତ ମାଲବ୍ୟଙ୍କୁ ୨୦୧୫ରେ ଭାଜପା ଆଇଟି ସେଲର ମୁଖ୍ୟ ଦାୟିତ୍ୱ ଦିଆଯାଇଥିଲା। ନିଜ କାର୍ଯ୍ୟକୁ ମନେ ପକାଇ ସେ କହିଛନ୍ତି, ଗତ ଏକ ଦଶନ୍ଧି ଧରି ମୁଁ ଏମାନଙ୍କ ସମସ୍ତଙ୍କ ସହ ମିଶି କାମ କରିବାର ସୁଯୋଗ ପାଇଛି। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ, ସେମାନଙ୍କ ନେତୃତ୍ୱରେ ଭାଜପାର ଡିଜିଟାଲ କମ୍ୟୁନିକେସନ ନୂଆ ସ୍ତରରେ ପହଞ୍ଚିବ ଏବଂ ସମ୍ପୂର୍ଣ୍ଣ ବିଶ୍ୱାସ, ସୃଜନଶୀଳତା ଓ ସ୍ପଷ୍ଟତା ସହ ଭାରତର ଜନ ଚର୍ଚ୍ଚାକୁ ଆକାର ଦେବା ଜାରି ରଖିବ।
ସେପଟେ ଭାଜପା ଏମ୍ପି ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆରେ ନବନିଯୁକ୍ତ ଜାତୀୟ ପଦାଧିକାରୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଭାଜପାର ନବନିଯୁକ୍ତ ଜାତୀୟ ପଦାଧିକାରୀ ଏବଂ ବିଭିନ୍ନ ଦାୟିତ୍ୱରେ ନିଯୁକ୍ତ ସମସ୍ତ ପରିଶ୍ରମୀ ସହଯୋଗୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଉଜ୍ଜ୍ୱଳ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା।
भाजपा के नवनियुक्त राष्ट्रीय पदाधिकारियों एवं विभिन्न दायित्वों पर नियुक्त सभी कर्मठ साथियों को हार्दिक बधाई एवं उज्ज्वल कार्यकाल की शुभकामनाएँ।@BJP4India
— Dharmendra Pradhan (@dpradhanbjp) August 17, 2026