ଭାଜପା ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ପଟ୍ଟାମୁଣ୍ଡାଇ, ୩୦।୧୦: କଳାହାଣ୍ଡି ଜିଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସିଧାସଳଖ ସମ୍ପୃକ୍ତି ରହିଛି। ତେଣୁ ଘଟଣାର ସିବିଆଇ ତଦନ୍ତ କରିବା ସହ ଗୃହରାଷ୍ଟ୍ରମନ୍ତ୍ରୀ ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଇ ତୁରନ୍ତ ଗିରଫ କରାଯାଉ ବୋଲି ପଟ୍ଟାମୁଣ୍ଡାଇ-ରାଜନଗର ଭାଜପ ପକ୍ଷରୁ ଦାବି କରାଯାଇଛି। ରାଜନଗର ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ଅଲେଖ କୁମାର ଜେନାଙ୍କ ନେତୃତ୍ୱରେ ପଟ୍ଟାମୁଣ୍ଡାଇ ମେଡିକାଲ ଛକଠାରେ ବିକ୍ଷୋଭରେ କର୍ମୀମାନେ ଯୋଗଦେଇ ଗୃହରାଷ୍ଟ୍ରମନ୍ତ୍ରୀ ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ମୃତ ମମିତାଙ୍କ ପରିବାର ବର୍ଗଙ୍କ ଅଭିଯୋଗ ଅଧାରରେ ଯେଉଁ ସବୁ ତଥ୍ୟ ଆଗକୁ ଆସିଛି, ତାହା ମୁଖ୍ୟ ଅଭିଯୁକ୍ତ ତଥା ସନସାଇନ ପବ୍ଲିକ ସ୍କୁଲର ମୁଖ୍ୟ ଗୋବିନ୍ଦ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେଠାରେ ଯୌନ ବ୍ୟଭିଚାର ଚାଲିଥିଲା। ଶାସକ ଦଳର ବହୁ ମନ୍ତ୍ରୀ ଓ ନେତା ସେଠାକୁ ବାରମ୍ବାର ଯାଉଥିଲେ। ଏହି ଅନୈତିକ କାର୍ଯ୍ୟକଳାପ ସମ୍ପର୍କରେ ମୃତା ମମିତା ଖୁଲାସା କରିଦେବାକୁ କହିବାରୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଏଥିରେ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତିକୁ ସିଧାସଳଖ ଇସାରା କରୁଛି। ତେଣୁ ତଦନ୍ତ ପ୍ରକ୍ରିୟାକୁ ନିରପେକ୍ଷ କରିବାକୁ ଗୃହ ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ ମିଶ୍ରଙ୍କୁ ବରଖାସ୍ତ କରନ୍ତୁ ବୋଲି ଭାଜପା ନେତା ଓ କର୍ମୀମାନେ ଦାବି କରିଥିଲେ। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବରିଷ୍ଠ ଭାଜପା ନେତା ସୁନାକର ପ୍ରଧାନ, ବନମାଳୀ ମହାପାତ୍ର, ମହେନ୍ଦ୍ର ଜୀବନ ଦାଶ, ପୀତାମ୍ବର କର, ବିଶ୍ୱରଞ୍ଜନ ପାତ୍ର, ରବୀନ୍ଦ୍ର ବିଶ୍ୱାଳ, ଜ୍ୟୋତିପ୍ରକାଶ ପ୍ରଧାନ, ଉଦୟ ଶଙ୍କର ଦାସ, ରାଜକିଶୋର ଦାସ, ପରେଶ୍ୱର ପାତ୍ର, ନୀଳକଣ୍ଠ ଦାସ ପ୍ରମୁଖ ପରିଚାଳନା କରିଥିଲେ।