ହାଟଡିହୀ,୧୫ା୧୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ରବିବାର ଭାଜପା ତରଫରୁ ବିରୋଧୀଙ୍କୁ ଟାର୍ଗେଟ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ବିରୋଧୀ ଦଳ ବିରୋଧରେ ଲଢ଼େଇ ଆହୁରି ଜୋରଦାର କରିବାକୁ ହାଟଡିହୀ ଭାଜପା କାର୍ଯ୍ୟାଳୟଠାରେ ନେତା ଓ କର୍ମୀମାନେ ଏକଜୁଟ୍ ହୋଇ ଆହ୍ବାନ ଦେଇଛନ୍ତି। ବିଧାନସଭା ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ମଣ୍ଡଳ ପ୍ରଭାରୀ ହରମୋହନ ଶାସିନୀ, ଯୁଧିଷ୍ଠିର ମଲ୍ଲିକ, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ରମାକାନ୍ତ ନାୟକ, ଜିଲା ଯୁବମୋର୍ଚ୍ଚା ସମ୍ପାଦକ ଅବିନାଶ ସେଠୀ (ମଣ୍ଟୁ), ବରିଷ୍ଠକର୍ମୀ ଧବଳେଶ୍ୱର ପଟ୍ଟନାୟକ, ସୁନୀଲ ନାୟକ, ଅନ୍ତର୍ଯ୍ୟାମୀ ଖଣ୍ଡେଇ, ବଞ୍ଚୋ ମଣ୍ଡଳ ସଭାପତି ହରେକୃଷ୍ଣ ସ୍ବାଇଁ ଓ ଶାଳନିଆଁ ମଣ୍ଡଳ ସଭାପତି ଜଗନ୍ନାଥ ବାରିକ ପ୍ରମୁଖ ଉପସ୍ଥିତ ରହି ଶୃଙ୍ଖଳିତ ଭାବେ ଦଳ ପାଇଁ କାମ କରିବାକୁ ବାର୍ତ୍ତା ଦେଇଛନ୍ତି। ତେବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ବଡ଼ ଝଟ୍କା ଲାଗିଛି। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଭାଜପା ଦିନକୁ ଦିନ ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ନିଜ ସ୍ଥିତି ମଜଭୁତ କରୁଛି। ଏହା ବିରୋଧୀ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ଅବସରରେ ଭାଜପା କର୍ମୀ ଧବଳେଶ୍ୱର ପଟ୍ଟନାୟକ ଓ ଅନ୍ତର୍ଯ୍ୟାମୀ ଖଣ୍ଡେଇଙ୍କ ନେତୃତ୍ୱରେ ନିଜନିଜ ଦଳ ଛାଡ଼ି ଶତାଧିକ କର୍ମୀ ଭାଜପାରେ ସାମିଲ ହୋଇଛନ୍ତି। ଦଳ ତରଫରୁ ନବାଗତମାନଙ୍କୁ ଦଳୀୟ ଟୋପି ପିନ୍ଧାଇ ଓ ଉତ୍ତରୀୟ ଦେଇ ଭବ୍ୟ ସ୍ବାଗତ କରାଯାଇଥିଲା। ସେହିପରି ହାଟଡିହୀ ମଣ୍ଡଳରେ ଶତାଧିକ କର୍ମୀ ନିଜ ନିଜ ଦଳ ଛାଡି ଭାଜପାରେ ଯୋଗ ଦେଇଛନ୍ତି।
ବିଧାନସଭା ନେତା ଆଲୋକ କହିଛନ୍ତି ଯେ, ବିରୋଧୀ ଦଳ ଭାଜପା ସରକାରଙ୍କ ଜନକଲ୍ୟାଣ ଯୋଜନାରେ ଅତିଷ୍ଠ ହୋଇ ବାଉଳି ହେଉଛି। ବିଭିନ୍ନ ସମୟରେ କାଳ୍ପନିକ ମୁଦ୍ଦା ପ୍ରସ୍ତୁତ କରୁଛି। ଆନନ୍ଦପୁରରେ ଏଥର ବିରୋଧୀଙ୍କ ସହ ଲଢ଼େଇ ଆହୁରି ଜୋରଦାର ହେବ।