ଜିଲାପାଳଙ୍କ କାର୍ଯ୍ୟାଳୟରେ ଭାଜପା କର୍ମୀଙ୍କ ଭଙ୍ଗାରୁଜା

ଭଦ୍ରକ ଅଫିସ,୬ା୧: ଓବିସିମାନଙ୍କ ପାଇଁ ସିଟ୍‌ ସଂରକ୍ଷଣ, ଭୋଟର ତାଲିକାରେ ଜାଲିଆତି ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ହୋଇଥିବା ସଂରକ୍ଷଣ ତାଲିକାରେ ବ୍ୟାପକ ବେଆଇନ କାର୍ଯ୍ୟ କରାଯାଇଥିବା ଦାବିରେ ଭଦ୍ରକ ଭାଜପା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି। ଏହି ଉପଲକ୍ଷେ ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ନେତୃତ୍ୱରେ ଗାନ୍ଧୀ ପଡ଼ିଆଠାରୁ ଭାଜପା କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରିଥିଲେ। ଠିକ୍‌ ଏହି ସମୟରେ ଭାଜପା କର୍ମୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଧସେଇ ପଶିଥିଲେ। ଏପରିକି ପୋଲିସ ପ୍ରବଳ ପ୍ରତିରୋଧ ସତ୍ତ୍ୱେ ଭାଜପା କର୍ମୀମାନେ ଜିଲାପାଳଙ୍କ ଗାଡ଼ିର ନେମ୍‌ ପ୍ଲେଟ ସହ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଚେୟାରଗୁଡ଼ିକ ବାଡ଼େଇ ଭାଙ୍ଗି ଦେଇଥିଲେ। ଏପରିକି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ବ୍ୟାନରଗୁଡ଼ିକ ଚିରି ଫିଙ୍ଗି ଦେଇଥିଲେ। ତେବେ ଗାଡ଼ିଗୁଡ଼ିକ ଭଙ୍ଗାରୁଜା କରିବାବେଳେ ପୋଲିସ ପ୍ରତିରୋଧ କରିଥିଲା। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ମୁତୟନ ଅଛି। ଘଟଣାସ୍ଥଳରେ ଭଦ୍ରକ ଏସ୍‌ପି ଚରଣ ସିଂ ମିନା ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।