ହାଟଡିହୀ, ୨୮/୮ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ହାଟଡିହୀ ଭାଜପା କାର୍ଯ୍ୟାଳୟ ପରିସରରେ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି।
ପୂର୍ବତନ ଜିଲା ପରିଷଦ ସଦସ୍ୟା ଟିକି କିସ୍କୁଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ଭାଜପା କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ମହେଶ୍ୱର ସାହୁ, ଭାଜପା ନେତା ଆଲୋକ ସେଠୀ, ଜିଲାଉପସଭାପତି ଜ୍ଞାନରଞ୍ଜନ ସାମନ୍ତସିଂହାର, ଆନନ୍ଦପୁର ପୌରପାଳିକାର ପୂର୍ବତନ ନଗରପାଳ ଶାନ୍ତନୁ ସେଠୀ, ହରମୋହନ ଶାସିନୀ, ଯୁଧିଷ୍ଠିର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।
ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ ଦୀପ, ଧୂପ, ଅରୁଆ ଚାଉଳ, ପୁଷ୍ପ ଓ ଶଙ୍ଖଧ୍ୱନି ସହ ହୁଳହୁଳି ଦେଇ ଅତିଥି ଓ ଅନ୍ୟ କାର୍ଯ୍ୟକର୍ତ୍ତାମାନଙ୍କୁ ବନ୍ଦାପନା କରିଥିଲେ। ପରେ ସେମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ ମିଷ୍ଟାନ୍ନ ଖୁଆଇ ରକ୍ଷାବନ୍ଧନର ଶୁଭେଚ୍ଛା ଜଣାଇଥିଲେ।
କାର୍ଯ୍ୟକ୍ରମରେ ଭାଜପା ନେତ୍ରୀ ତୃପ୍ତିମୟୀ ଜେନା, ତୃପ୍ତିମୟୀ ଖୁଣ୍ଟିଆ, ତପସ୍ୱିନୀ ସାମନ୍ତରାୟ, ଶ୍ୱେତପଦ୍ମା ନାୟକ, ସୋନାଲି ମହାନ୍ତିଙ୍କ ସମେତ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।ପରସ୍ପର ମଧ୍ୟରେ ଭାଇଚାରା, ସ୍ନେହ ଓ ସୌହାର୍ଦ୍ଦ୍ୟର ବନ୍ଧନକୁ ଦୃଢ଼ କରିବାର ବାର୍ତ୍ତା ଦେଇଥିବା ଏହି ଉତ୍ସବ ସମସ୍ତଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ସୃଷ୍ଟି କରିଥିଲା।

