୨୦୨୯ ନିର୍ବାଚନ ପାଇଁ BJPର ମାଷ୍ଟରପ୍ଲାନ୍‌, କାଲି ଘୋଷଣା ହେବ ନୂଆ ଟିମ୍‌! ଏହି ନେତାଙ୍କୁ ମିଳିବ ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୬।୮: ଭାଜପାରେ ଖୁବ୍‌ଶୀଘ୍ର ଏକ ବଡ଼ ସାଂଗଠନିକ ପୁନର୍ଗଠନ ହେବାକୁ ଯାଉଛି । ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନେତୃତ୍ୱରେ ଦଳର ନୂଆ ଟିମ୍‌ ଘୋଷଣା ହୋଇପାରେ। ଖବର ଅନୁସାରେ, ଅଭିଜ୍ଞ ନେତାଙ୍କ ସହ ବହୁ ସଂଖ୍ୟକ ଯୁବ ଓ ମହିଳା ନେତ୍ରୀଙ୍କୁ ସଂଗଠନରେ ଗୁରୁତ୍ୱ ଦିଆଯିବ । ୨୦୨୯ ନିର୍ବାଚନକୁ ନଜରରେ ରଖି ଏହି ପରିବର୍ତ୍ତନ କରାଯାଉଥିବା କୁହାଯାଉଛି। ନୂଆ ସାଂଗଠନିକ ଟିମ୍‌ରେ ଉପାଧ୍ୟକ୍ଷ, ମହାସଚିବ, ସଚିବ, ଜାତୀୟ ମୁଖପାତ୍ର ଏବଂ ବିଭିନ୍ନ ମୋର୍ଚ୍ଚାର ମୁଖ୍ୟଙ୍କ ନିଯୁକ୍ତି ହୋଇପାରେ। ବିଶେଷକରି ଯୁବ ନେତାଙ୍କୁ ଅଧିକ ସୁଯୋଗ ଦେବା ଉପରେ ଦଳ ଜୋର ଦେଉଥିବା ଚର୍ଚ୍ଚା ହେଉଛି ।

ଖବର ଅନୁସାରେ, ନୂଆ ଦଳୀୟ ଟିମ୍‌ ଘୋଷଣା ପରେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ମଧ୍ୟ ପରିବର୍ତ୍ତନର ସମ୍ଭାବନା ରହିଛି । କିଛି ବରିଷ୍ଠ କେନ୍ଦ୍ରମନ୍ତ୍ରୀଙ୍କୁ ସଂଗଠନରେ ଦାୟିତ୍ୱ ଦିଆଯାଇପାରେ । ଅନ୍ୟପଟେ, ଦଳର କିଛି ପ୍ରମୁଖ ନେତାଙ୍କୁ କେନ୍ଦ୍ର ସରକାରରେ ସାମିଲ କରାଯାଇପାରେ। ସଂଗଠନ ଓ ସରକାର ମଧ୍ୟରେ ସମନ୍ୱୟ ବଢ଼ାଇବା ସହ ବିଭିନ୍ନ ରାଜ୍ୟର ରାଜନୈତିକ ସମୀକରଣକୁ ଠିକ୍‌ ରଖିବା ଉପରେ ଫୋକସ୍‌ ରହିବ।

ଭାଜପାର ସାଂଗଠନିକ ପରିବର୍ତ୍ତନ ନେଇ ଚର୍ଚ୍ଚା ସଂସଦର ମୌସୁମୀ ଅଧିବେଶନ ସମୟରେ ଆହୁରି ଜୋର ଧରିଥିଲା। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସଂସଦ ଭବନ ମଧ୍ୟରେ ଦଳର ବରିଷ୍ଠ ନେତାଙ୍କ ସହ ଏକାଧିକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ପୂର୍ବରୁ ରାଜ୍ୟ ସଭା ନିର୍ବାଚନ ପରେ କେନ୍ଦ୍ର କ୍ୟାବିନେଟ୍‌ରେ ପରିବର୍ତ୍ତନ ନେଇ ଚର୍ଚ୍ଚା ହୋଇଥିଲା। କିନ୍ତୁ ଦେଶବ୍ୟାପୀ NEET ବିରୋଧୀ ଆନ୍ଦୋଳନ ଯୋଗୁଁ ଏହାକୁ ଟାଳି ଦିଆଯାଇଥିବା ଚର୍ଚ୍ଚା ହେଉଛି ।

 

Dharitri – Odisha’s No.1 Odia Daily

 

 

Share