ପ୍ରଧାନମନ୍ତ୍ରୀଙ୍କ ଶିଳାନ୍ୟାସ ଫଳକ ଭାଙ୍ଗିଦେଲେ

କେନ୍ଦୁଝର,୧୫ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ଏରେଣ୍ଡେଇ ଓ ତେଲକୋଇ ବ୍ଲକ ଜଗମୋହନପୁରରେ ସୋମବାର ଦୁଇଟି ଏକଲବ୍ୟ ବିଦ୍ୟାଳୟର ଶିଳାନ୍ୟାସ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସରେ ଏହାର ଶିଳାନ୍ୟାସ କରିଥିଲେ। ତେବେ ଜଗମୋହନପୁର ଶିଳାନ୍ୟାସ କାର୍ଯ୍ୟକ୍ରମରେ ବିଜେଡିର ମନ୍ତ୍ରୀ ତଥା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଯୋଗ ଦେଇଥିଲେ। ଭାଜପାର ସଦର ବିଧାୟକ ମୋହନ ମାଝି ପହଞ୍ଚିବା ପୂର୍ବରୁ ଶେଷ ହୋଇ ଯାଇଥିଲା ଶିଳାନ୍ୟାସ କାର୍ଯ୍ୟକ୍ରମ। ଏପରିକି ଫଳକରେ ତାଙ୍କ ନାମ ନ ଥିବାରୁ ବିବାଦ ଦେଖାଦେଇଥିଲା। ସନ୍ଧ୍ୟାରେ ଭାଜପା ସମର୍ଥକ କୁହାଯାଉଥିବା କେତେଜଣ ଉକ୍ତ ଶିଳାନ୍ୟାସ ଫଳକକୁ ଭାଙ୍ଗି ଦେଇଥିବା ଚର୍ଚ୍ଚାର ବିଷୟ ହୋଇଛି।

ଉକ୍ତ ଫଳକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଆଦିବାସୀ କଲ୍ୟାଣ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ, ତେଲକୋଇ ବିଧାୟକ ତଥା ମନ୍ତ୍ରୀ ନାୟକଙ୍କ ନାମ ରହିଥିଲେ ହେଁ ବିଧାୟକ ମାଝିଙ୍କ ନାମ ଉଲ୍ଲେଖ ନ ଥିଲା। ଏ ସଂକ୍ରାନ୍ତରେ ବିଧାୟକ ମାଝିଙ୍କୁ ପଚାରିବାରୁ ଜିଲାପାଳଙ୍କଠାରୁ ଚିଠି ପାଇ ସେ କେନ୍ଦ୍ର ମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। ଶିଳାନ୍ୟାସ ଅପରାହ୍ନ ୧ଟା ୫୦ରେ ହେବା କଥା। କିନ୍ତୁ ସେ ୧ଟା ୩୭ରେ ପହଞ୍ଚିଲା ବେଳକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଶିଳାନ୍ୟାସ ସରି ଯାଇଥିଲା। ଜାଣି ଶୁଣି ତାଙ୍କ ନାମ ଫଳକରେ ଲେଖାଗଲା ନାହିଁ ଯାହାକି ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସେ ପ୍ରକାଶ କରିଛନ୍ତି। ଏନେଇ ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି, ସଦର ବିଧାୟକ ମାଝି ସଭାରେ ଯୋଗଦେବା ନେଇ କାୈଣସି ସୂଚନା ଦେଇ ନ ଥିଲେ କିମ୍ବା ଆସି ନ ଥିଲେ। ଏଣୁ ତାଙ୍କ ନାମ ଫଳକରେ ସ୍ଥାନ ପାଇନାହିଁ। ଅନ୍ୟମାନଙ୍କ ନାମ ଉଲ୍ଲେଖ ରହିଛି। ତେବେ ଉକ୍ତ ଫଳକ ଭାଙ୍ଗି ଦିଆଯାଇଥିବା ସେ ଖବର ପାଇଛନ୍ତି ବୋଲି କହିଛନ୍ତି।