ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଭାଜପା ରାଜ୍ୟ ସଭାପତି

ଛତ୍ରପୁର/ଗଞ୍ଜାମ,୧ା୧୧(ଦିଲ୍ଲୀପ ସାମଲ/ଅନାଥ ତରାଇ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତିରେ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଥିବାବେଳେ ରବିବାର ଛତ୍ରପୁର ନିର୍ବାଚନମଣ୍ଡଳୀ ଗସ୍ତ କରି ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଜେପିର ରାଜ୍ୟ ସଭାପତି ତଥା ରାଜ୍ୟ ସଭା ଏମ୍‌ପି ମନମୋହନ ସାମଲ।

ଏହି ଗସ୍ତ ଅବସରରେ ସେ ଗଞ୍ଜାମ ବ୍ଲକର ପୋଇରାସି ପଞ୍ଚାୟତ ଅନ୍ତର୍ଗତ ବରପାଲି ଓ ଭୂଆଁଭୂଇଁ ଗ୍ରାମ ସମେତ ଛତ୍ରପୁର ବ୍ଲକ୍‌ର ପୋଟଲାମପୁର ପଞ୍ଚାୟତ ଏବଂ ଅନ୍ୟାନ୍ୟ ବନ୍ୟା ପ୍ରଭାବିତ ଓ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ସମୟରେ ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତି, ଲୋକଙ୍କ ଦୁର୍ଦ୍ଦଶା ଏବଂ ପ୍ରଶାସନ ପକ୍ଷରୁ ଖାଦ୍ୟ ଓ ରିଲିଫ୍‌ ସାମଗ୍ରୀ ବଣ୍ଟନ ବ୍ୟବସ୍ଥାର ସେ ସମୀକ୍ଷା କରିଥିଲେ।

ଏଥିସହ ବନ୍ୟା ବିପନ୍ନ ପରିବାରଙ୍କୁ ଭେଟି ସେମାନଙ୍କ ସମସ୍ୟା, ଜୀବନଜୀବିକାର କ୍ଷତି ଓ ଆବଶ୍ୟକ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ। ବନ୍ୟା ପରବର୍ତ୍ତୀ ସ୍ଥିତି ଓ ବିପନ୍ନଙ୍କ ଆବଶ୍ୟକତା ସମ୍ପର୍କରେ ମଧ୍ୟ ସେ ଅବଗତ ହୋଇଥିଲେ।

ଏହି ଅବସରରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ବ୍ରହ୍ମପୁର ଏମ୍‌ପିଙ୍କ ପ୍ରତିନିଧି ରୁଇନା ପଟ୍ଟନାୟକଙ୍କ ସମେତ ଭାଜପାର ବହୁ ଦଳୀୟ ନେତୃବୃନ୍ଦ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share