ଏଥର ତାଲିକା ଭୁଲ୍‌ ହେଲେ ନବୀନ ନିବାସ ଘେରାଉ: ଭାଜପା

ଭୁବନେଶ୍ବର,୧୭ା୧(ବ୍ୟୁରୋ):ରାଜ୍ୟରେ ଥିବା ବାସହୀନଙ୍କୁ ଘରଟିଏ ଦେବାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳ ରୂପାୟନ ପାଇଁ ଭାଜପା ରାଜ୍ୟ ସରକାରଙ୍କୁ ବାରମ୍ବାର ଚେତାବନୀ ଦେବା ସହ ଆନ୍ଦୋଳନ କରୁଛି। ଓଡ଼ିଶାର ଯୋଗ୍ୟ ହିତାଧିକାରୀ ଯେପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ଉଠାଇପାରିବେ ସେନେଇ ଭାଜପା ବଦ୍ଧପରିକର। ୨୦୧୯ ମେ’ରେ ହୋଇଥିବା ଫନୀ ବାତ୍ୟା କାରଣରୁ ଯେଉଁ ଲୋକଙ୍କ ଘର ଭାଙ୍ଗିଥିଲା ତାହାର ତାଲିକା ମଧ୍ୟ ଯୋଡ଼ା ଯାଇଥିଲା। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତଙ୍କ ନାମ ଯୋଡ଼ା ଯାଇ ନ ଥିଲା। ୨୦୧୯ ଅକ୍ଟୋବରରେ ଏନେଇ ଭାଜପା ଅଭିଯୋଗ କରିବା ପରେ ରାଜ୍ୟ ସରକାର ନିଜ ଭୁଲ୍‌କୁ ସ୍ବୀକାର କରିଥିଲେ। ୨୦୨୦ରେ ଯୋଗ୍ୟ ଅଯୋଗ୍ୟ ପାଇଁ ସବୁ ବ୍ଲକରେ ବାକ୍ସ ବସାଯାଇଥିଲେ ମଧ୍ୟ ଆହୁରି ଅନେକ ସ୍ଥାନରେ ବସିପାରିନାହିଁ। ଏଥର ଆବାସ ତାଲିକାରେ ଭୁଲ୍‌ କରାଗଲେ ନବୀନ ନିବାସ ଘେରାଉ କରାଯିବ ବୋଲି ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପୃଥ୍ବୀରାଜ କହିଛନ୍ତି ଯେ, ଫନୀ ବାତ୍ୟାରେ ଘର ଭାଙ୍ଗିଥିବା ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀଙ୍କୁ ସମ୍ଭାବ୍ୟ ତାଲିକାରୁ ବାଦ୍‌ ଦିଆଯାଇଛି। ସେମାନଙ୍କ ନାମକୁ ତୁରନ୍ତ ତାଲିକାରେ ସାମିଲ କରିବାକୁ ରାଜ୍ୟ ସରକାର ବ୍ୟବସ୍ଥା କରନ୍ତୁ। ଯଦି ଯୋଗ୍ୟ ହିତାଧିକାରୀଙ୍କୁ ଘର ନ ମିଳିବ ତେବେ ଭାଜପା ଆନ୍ଦୋଳନ କରିବା ସହ ନବୀନ ନିବାସ ଘେରାଉ କରିବ ବୋଲି ପୃଥ୍ବୀରାଜ ଚେତାବନୀ ଦେଇଛନ୍ତି। ରାଜ୍ୟ ସରକାର ବାସଗୃହ ଆବଣ୍ଟନରେ ଚଞ୍ଚକତାପୂର୍ଣ୍ଣ ବାତାବରଣ ସୃଷ୍ଟି କରିଛନ୍ତି। ଭାଜପାର ବାରମ୍ବାର ଅଭିଯୋଗ ଓ ଚେତାବନୀ ସତ୍ତ୍ୱେ ରାଜ୍ୟ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ଦଳୀୟ ଆଧାରରେ ଘର ବାଣ୍ଟୁଛନ୍ତି। ଏହାଦ୍ୱାରା ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇ ରହିଯାଇଛନ୍ତି। ଓଡ଼ିଶାରେ ୨୦୧୮-୧୯ରେ ଯେଉଁ ତାଲିକା ପ୍ରସ୍ତୁତ ହୋଇଥିଲା ସେଥିରୁ ରାଜନୈତିକ ଗନ୍ଧ ଆସୁଥଲା। ଚଞ୍ଚକତା କରାଯାଇ କେବଳ ଶାସକ ବିଜେଡି ସହ ସମ୍ପୃକ୍ତ ଥିବା ଲୋକଙ୍କୁ ପକ୍କାଘର ବଣ୍ଟନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ ଏବଂ ଚଞ୍ଚକତା କରାଯିବାର ଅନେକ ଦୃଷ୍ଟାନ୍ତ ରହିଛି। ମୂଳ ଲକ୍ଷ୍ୟରୁ ଓହରିଯାଇ ରାଜ୍ୟ ସରକାର ଅନ୍ଧ ଭାବେ ବାଡ଼ି ବୁଲାଇ ଦଳୀୟ ଆଧାରରେ ବାସଗୃହ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ପ୍ରସ୍ତୁତ କରନ୍ତୁ ନାହିଁ ବୋଲି ସେ କହିଛନ୍ତି।