କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାଜପା ଏମ୍‌ପି

ଭୁବନେଶ୍ବର,୧୫ା୧୨(ବ୍ୟୁରୋ): ପାର୍ଲାମେଣ୍ଟ ଅଧିବେଶନ ଚାଲିଥିବା ବେଳେ ରାଜ୍ୟର ୩ କେନ୍ଦ୍ରମନ୍ତ୍ରୀଙ୍କ ସହ ସମସ୍ତ ଭାଜପା ଏମ୍‌ପିମାନେ ଗୁରୁବାର ଏକାଠି ହୋଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ସାକ୍ଷାତ କରିଛନ୍ତି। ଓଡ଼ିଶାରେ ଖୁବ୍‌ଶୀଘ୍ର ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ଏବି-ପିଏମଜେଏୱାଇ) ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଅନ୍ତୁ ବୋଲି ରାଜ୍ୟର ଭାଜପା ଏମ୍‌ପିମାନେ ଅନୁରୋଧ କରିଛନ୍ତି। ଏହି ପ୍ରତିନିଧିମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ଏମ୍‌ପି ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ନିତୀଶ ଗଙ୍ଗଦେବ, ଅପରାଜିତା ଷଡଙ୍ଗୀ, ସଙ୍ଗୀତା ସିଙ୍ଗଦେଓ ପ୍ରମୁଖ ଉପସ୍ଥିତ ଥିଲେ।