ନୂଆଦିଲ୍ଲୀ,୩୧।୭: ଭାଜପା ଏମପି ତଥା ଅଭିନେତା ରବି କିଶନ ବୁଧବାର କେନ୍ଦ୍ର ସରକାରଙ୍କୁ ହୋଟେଲ, ରେଷ୍ଟୁରାଣ୍ଟ ଓ ଢାବାରେ ପରିବେଷିତ ଖାଦ୍ୟର ମୂଲ୍ୟ ନିୟନ୍ତ୍ରଣ ପାଇଁ ଏକ ନୂଆ ଆଇନ ପ୍ରଣୟନ କରିବାକୁ ଦାବି କରିଛନ୍ତି।
ଲୋକସଭାର ଶୂନ୍ୟ ସମୟରେ ଉତ୍ତରପ୍ରଦେଶର ଗୋରଖପୁରର ଭାଜପା ଏମପି ରବି କିଶନ କହିଥିଲେ ଯେ, ଖାଦ୍ୟର ମୂଲ୍ୟ, ଗୁଣବତ୍ତା ଓ ପରିମାଣ ସ୍ଥାନ ଅନୁଯାୟୀ ଭିନ୍ନ ହୋଇଥାଏ। ଏଥିରେ ଏକତା ଆଣିବା ଆବଶ୍ୟକ।
ସେ ଉଦାହରଣ ଦେଇ କହିଥିଲେ, “କୌଣସି ଢାବାରେ ସିଙ୍ଗଡ଼ାର ମୂଲ୍ୟ ଏକ ହୋଇଥାଏ, ଅନ୍ୟତ୍ର ଅନ୍ୟ ମୂଲ୍ୟ। ଏପରିକି ସିଙ୍ଗଡ଼ାର ଆକାର ମଧ୍ୟ ଭିନ୍ନ ହୋଇଥାଏ।” ସେ ଆହୁରି କହିଥିଲେ, “କୌଣସି ଦୋକାନରେ ଦାଲ ତଡ଼କା ୧୦୦ ଟଙ୍କାରେ ମିଳୁଥିବା ବେଳେ, ଅନ୍ୟତ୍ର ୧୨୦ ଟଙ୍କା ଓ ହୋଟେଲରେ ୧,୦୦୦ ଟଙ୍କାରେ ମିଳୁଛି।”
ଏହି ମୂଲ୍ୟ ଭିନ୍ନତା ଯୋଗୁଁ ଲୋକେ କେତେ ପରିମାଣର ଖାଦ୍ୟ ଅର୍ଡର କରିବେ ତାହା ନିଷ୍ପତ୍ତି କରିପାରୁନଥିବା ରବି କିଶନ ମତ ଦେଇଛନ୍ତି। ଉଦାହରଣ ସ୍ୱରୂପ, ଚାରିଜଣ ଖାଇବାକୁ ଯାଉଥିଲେ ସେମାନେ କୌଣସି ମୂଲ୍ୟରେ କେତେ ପରିମାଣ ଖାଦ୍ୟ ପାଇବେ ତାହା ଜାଣିପାରୁନାହାନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ କ୍ଷେତ୍ରରେ ପରିବର୍ତ୍ତନ ଆଣିଛନ୍ତି, କିନ୍ତୁ ଏହି ବିଷୟ ଯଥେଷ୍ଟ ଗୁରୁତ୍ୱ ପାଇନାହିଁ ବୋଲି ସାଂସଦ କହିଛନ୍ତି। ସେ ଦାବି କରିଛନ୍ତି, “ସରକାର ଖାଦ୍ୟର ମୂଲ୍ୟ, ଗୁଣବତ୍ତା ଓ ପରିମାଣ ନିୟନ୍ତ୍ରଣ କରିବା ପାଇଁ ଏକ ଆଇନ ଆଣନ୍ତୁ, ଯାହା ଦ୍ୱାରା ଗ୍ରାହକମାନେ ସୁଲଭ ମୂଲ୍ୟରେ ଖାଦ୍ୟ ପାଇପାରିବେ।”
ସେ ଆହୁରି କହିଛନ୍ତି ଯେ, ବିସ୍କୁଟ କିମ୍ବା ପାଉଁରୁଟି ପ୍ୟାକେଟରେ ଓଜନ ବା ଏହାର ସଂଖ୍ୟା ଉଲ୍ଲେଖ ଥାଏ, ସେହିପରି ଖାଦ୍ୟ ପରିବେଷଣ ସ୍ଥାନରେ ମଧ୍ୟ ପରିମାଣ ଉଲ୍ଲେଖ ବାଧ୍ୟତାମୂଳକ ହେବା ଉଚିତ।


