ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ: ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ PAଙ୍କୁ ଗୁଳି କରି ହତ୍ୟା, ବାଜିଛି ୩ ରାଉଣ୍ଡ ଗୁଳି

କୋଲକାତା,୬।୫: ପଶ୍ଚିମବଙ୍ଗରୁ ବଡ଼ ଖବର ସାମ୍ନାକୁ ଆସିଛି। ଭାଜପାର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହକାରୀ (PA) ଚନ୍ଦ୍ରନାଥ ରଥଙ୍କୁ ଗୁଳି କରି ହତ୍ୟା କରାଯାଇଛି।
ପଶ୍ଚିମବଙ୍ଗର ମଧ୍ୟମଗ୍ରାମ ଅଞ୍ଚଳରେ ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ଶୁଭେନ୍ଦୁ ଅଧିକାରୀଙ୍କ ଅତି ବିଶ୍ୱସ୍ତ ସହକାରୀ ଚନ୍ଦ୍ରନାଥଙ୍କୁ ଦୁର୍ବୃତ୍ତମାନେ ଅତି ନିକଟରୁ ଗୁଳି କରି ହତ୍ୟା କରିଛନ୍ତି।
ଚନ୍ଦ୍ରନାଥ କିଛି ଲୋକଙ୍କ ସହ ଏକ ସାଧାରଣ ସ୍ଥାନରେ ଥିବା ବେଳେ ହଠାତ ଆକ୍ରମଣକାରୀମାନେ ତାଙ୍କ ଉପରକୁ ଗୁଳିବର୍ଷଣ କରିଥିଲେ। ତାଙ୍କ ଉପରକୁ ପ୍ରାୟ ୪ ରାଉଣ୍ଡ ଗୁଳି ଚଳାଯାଇଥିବା ସୂଚନା ମିଳିଛି।
ପୋଲିସଠାରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଚନ୍ଦ୍ରନାଥଙ୍କ ମୁଣ୍ଡରେ ୩ଟି ଗୁଳି ବାଜିଥିଲା। ଆକ୍ରମଣକାରୀମାନେ ଏତେ ପାଖରୁ ଗୁଳି ଚଳାଇଥିଲେ ଯେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ଚନ୍ଦ୍ରନାଥ ଗତ ୫ ବର୍ଷ ହେବ ଶୁଭେନ୍ଦୁଙ୍କ ସହ ଜଣେ ଛାୟା ପରି ରହି ଆସୁଥିଲେ। ସେ ଶୁଭେନ୍ଦୁଙ୍କର ବହୁତ ଘନିଷ୍ଠ ଥିଲେ।
ନିର୍ବାଚନ ପରବର୍ତ୍ତୀ ସମୟରେ ଏଭଳି ହତ୍ୟାକାଣ୍ଡ ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶୁଭେନ୍ଦୁ ଅଧିକାରୀଙ୍କ ପରି ଜଣେ ହେଭିୱେଟ ନେତାଙ୍କ ସହକାରୀଙ୍କୁ ହତ୍ୟା କରାଯିବା ଘଟଣାକୁ ନେଇ ଭାଜପା କର୍ମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲେ ହେଁ ଆକ୍ରମଣକାରୀଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
Dharitri – Odisha’s No.1 Odia Daily