ନୂଆଦିଲ୍ଲୀ,୧୯।୮: Gen-Z ଯୁବପିଢ଼ିଙ୍କ ନିକଟରେ ପହଞ୍ଚିବା ପାଇଁ ରଣନୀତି ବଦଳାଇଛି ଭାଜପା । ଏଣିକି କେବଳ ସୋସିଆଲ ମିଡିଆ ମେସେଜିଂ ନୁହେଁ, ଯୁବପିଢ଼ିଙ୍କ ସହ ସିଧାସଳଖ ଆଲୋଚନା ଉପରେ ଦଳ ଗୁରୁତ୍ୱ ଦେବ। ଏମପି, ବିଧାୟକ ଓ ବରିଷ୍ଠ ନେତାମାନେ କଲେଜ, ବିଶ୍ୱବିଦ୍ୟାଳୟ ଓ କୋଚିଂ ସଂସ୍ଥାକୁ ଯାଇ ଛାତ୍ରୀଛାତ୍ରଙ୍କ ସହ ସେମାନଙ୍କ ସମସ୍ୟା ନେଇ ଆଲୋଚନା କରିବେ ।
ବିଶେଷ କଥା ହେଉଛି, ଏହି ଆଲୋଚନାକୁ ରାଜନୈତିକ ମଞ୍ଚଠାରୁ ଦୂରରେ ରଖି ଅନୌପଚାରିକ ଢଙ୍ଗରେ କରିବାକୁ ଯୋଜନା ରହିଛି । ଦେଶର ବିଭିନ୍ନ ସ୍ଥାନରେ Gen-Z ଯୁବପିଢ଼ିଙ୍କ ଆନ୍ଦୋଳନ ଓ ରାଜନୈତିକ ସକ୍ରିୟତା ବଢ଼ୁଥିବା ସମୟରେ ଭାଜପାର ଏହି ନୂଆ ରଣନୀତି ସାମ୍ନାକୁ ଆସିଛି । NEET ପେପର ଲିକ୍ ପରେ ଛାତ୍ର ଆନ୍ଦୋଳନ ଏବଂ ଯୁବପିଢ଼ିଙ୍କ ବଢ଼ୁଥିବା ରାଜନୈତିକ ସକ୍ରିୟତା ମଧ୍ୟରେ ଭାଜପା ଏହି Gen-Z କନେକ୍ଟ ପ୍ଲାନ୍ ପ୍ରସ୍ତୁତ କରିଛି । ଦଳ ଏବେ ୧୮ ବର୍ଷରୁ ନୁହେଁ, ବରଂ ୧୪ ବର୍ଷ ବୟସରୁ ଯୁବପିଢ଼ିଙ୍କ ସହ ଯୋଗାଯୋଗ ଆରମ୍ଭ କରିବାକୁ ଯୋଜନା କରୁଛି । ୧୪ରୁ ୨୨ ବର୍ଷ ବୟସର ଯୁବଙ୍କୁ ଏହି ଅଭିଯାନରେ ସାମିଲ କରାଯିବ।
ଭାଜପାର ମତରେ, ସୋସିଆଲ ମିଡିଆ ଯୁଗରେ ଏହି ବୟସ ବର୍ଗ ନିଜର ମତ ଗଠନ କରିବା ସହ ପରିବାର ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ତେଣୁ ଇନଷ୍ଟାଗ୍ରାମ, ସ୍ନାପଚାଟ ଓ Reddit ଭଳି ପ୍ଲାଟଫର୍ମରେ ଭିଜୁଆଲ କଣ୍ଟେଣ୍ଟ ଏବଂ ଇଣ୍ଟରଆକ୍ଟିଭ୍ ଆଲୋଚନାକୁ ଗୁରୁତ୍ୱ ଦିଆଯିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭର୍ଟିକାଲ ଭିଡିଓ ଓ ସେଲ୍ଫି ଫର୍ମାଟ୍କୁ ମଧ୍ୟ ଏହି ରଣନୀତି ସହ ଯୋଡ଼ି ଦେଖାଯାଉଛି । ଅଗଷ୍ଟ ୧୮ ତାରିଖରେ ନୀତିନ ନବୀନ ଏହି ଅଭିଯାନ ଅଧୀନରେ ବିଶାଖାପଟଣାରେ Gen-Z ଯୁବଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଯୁବଙ୍କ ପାଇଁ ସରକାର ଓ ଦଳ ପକ୍ଷରୁ ଚାଲିଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସେ ସୂଚନା ଦେଇଥିଲେ। ଭାଜପାର Gen-Z କନେକ୍ଟ କେବଳ ସୋସିଆଲ ମିଡିଆରେ ସୀମିତ ରହିବ ନାହିଁ । ଏମପି, ବିଧାୟକ, କେନ୍ଦ୍ରମନ୍ତ୍ରୀ ଓ ସଂଗଠନର ବରିଷ୍ଠ ନେତାମାନେ କଲେଜ, ବିଶ୍ୱବିଦ୍ୟାଳୟ, କୋଚିଂ ସେଣ୍ଟର ଓ ସ୍ପୋର୍ଟସ କ୍ଲବକୁ ଯାଇ ଯୁବଙ୍କ ସହ ସିଧାସଳଖ ଆଲୋଚନା କରିବେ।
ପରୀକ୍ଷା, ପାଠ୍ୟକ୍ରମ, ପ୍ରତିଯୋଗିତାମୂଳକ ପରୀକ୍ଷା, ନିଯୁକ୍ତି ଓ କ୍ୟାରିୟର ଭଳି ପ୍ରସଙ୍ଗରୁ ଆଲୋଚନା ଆରମ୍ଭ ହେବ। ଛାତ୍ରୀଛାତ୍ର ରାଜନୈତିକ ପ୍ରଶ୍ନ ଉଠାଇଲେ ମଧ୍ୟ ଆଲୋଚନା ମାଧ୍ୟମରେ ତାହାର ଉତ୍ତର ଦେବାକୁ ଚେଷ୍ଟା କରାଯିବ। ଏହି ଅଭିଯାନକୁ କୌଣସି ନିର୍ଦ୍ଦିଷ୍ଟ ସମୟସୀମାରେ ସୀମିତ ନକରି ସାରା ବର୍ଷ ଚାଲୁ ରଖିବାକୁ ଯୋଜନା ହୋଇଛି। ରାଜ୍ୟ ସଂଗଠନ ଏହାର ତଦାରଖ କରି କେନ୍ଦ୍ରକୁ ରିପୋର୍ଟ ପଠାଇବ।