ଛତ୍ରପୁର ନିର୍ବାଚନମଣ୍ଡଳୀର ବନ୍ୟାଞ୍ଚଳ ବୁଲି ସ୍ଥିତି ପରଖିଲେ ବ୍ରହ୍ମପୁର ଏମ୍.ପି

ଛତ୍ରପୁର, ୩୦।୧୦ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବାବେଳେ ବ୍ରହ୍ମପୁର ଏମ୍.ପି ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଶୁକ୍ରବାର ଛତ୍ରପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ବନ୍ୟାପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେ ବନ୍ୟାଜଳ ଘେରରେ ଥିବା ଅଞ୍ଚଳ ବୁଲିବା ସହ ପାଣି ଭିତରକୁ ଯାଇ ସ୍ଥାନୀୟ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ।

ଏମ୍.ପି ବନ୍ୟାଜଳ ନିଷ୍କାସନ, ଉଦ୍ଧାର କାର୍ଯ୍ୟ ଏବଂ ରିଲିଫ୍‌ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ବନ୍ୟାପୀଡ଼ିତଙ୍କ ନିକଟରେ ତୁରନ୍ତ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକ ସହାୟତା ପହଞ୍ଚାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଏମ୍.ପି ପ୍ରଥମେ ଗଞ୍ଜାମ ବ୍ଲକର ୟୁଡ଼ିଏସପୁର ଓ ସନ୍ତୋଷପୁର ପଞ୍ଚାୟତ ପରିଦର୍ଶନ କରିଥିଲେ। ପରେ ବିଭିନ୍ନ ଜଳମଗ୍ନ ଅଞ୍ଚଳ ବୁଲି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ।

ଏହି ଅବସରରେ ବ୍ରହ୍ମପୁର ଏମ୍.ପିଙ୍କ ପ୍ରତିନିଧି ରୁଈନା ପଟ୍ଟନାୟକ, ଆର୍‌. ସନ୍ତୋଷ ରେଡ୍ଡୀଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share